ଡ୍ରଗ୍ସ ମାମଲାରେ ଜେଲରେ ଥିବା ପୁଅ ଅସୁସ୍ଥ ବାପାଙ୍କୁ ଦେବାକୁ ଚାଁହୁଛି କିଡନି, ସୁପ୍ରିମକୋର୍ଟ ଦେଲେ ଏହି ରାୟ

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଜେଲରେ ଥିବା ଜଣେ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ ଅସୁସ୍ଥ ପିତାଙ୍କୁ ଡାକ୍ତରଖାନା ନେବାକୁ ଅନୁମତି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଅଭିଯୁକ୍ତ ଜଣକ କିଡନି ଦାନ କରିବା ପାଇଁ ଉପଯୁକ୍ତ ହୁଅନ୍ତି ତେବେ  ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପାଇଁ ସେ ହାଇକୋର୍ଟରେ ଆବେଦନ କରିପାରିବେ। ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଅଭିଯୁକ୍ତଙ୍କୁ ମେଡିକାଲ କର୍ତ୍ତୃପକ୍ଷ କିଡନି ଦାନ କରିବାକୁ ଅନୁମତି ଦେବେ ଏବଂ କିଡନି ପ୍ରତିରୋପଣ ପ୍ରକ୍ରିୟା ସରକାରୀ ମେଡିକାଲ କଲେଜ କମିଟି ଦ୍ୱାରା ଅନୁମୋଦିତ ହୁଏ, ତେବେ ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶ ହାଇକୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିପାରିବେ ।

ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ ଜେ.କେ ମହେଶ୍ୱରୀଙ୍କ ଖଣ୍ଡପୀଠ ଚଳିତ ବର୍ଷ ଜୁନ୍ ମାସରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି ସମୟରେ ଏହି ରାୟ ଦେଇଛନ୍ତି | ଏହି ମାମଲାରେ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ । ଆବେଦନକାରୀଙ୍କ ଓକିଲ ସର୍ବୋଚ୍ଚ ଅଦାଲତକୁ କହିଥିଲେ ଯେ ଅଭିଯୁକ୍ତଙ୍କ ପିତାଙ୍କର କିଡନି ଫେଲ ହୋଇଯାଇଛି ଓ ତାଙ୍କ ପୁଅ(ଅଭିଯୁକ୍ତ) ଅସୁସ୍ଥ ପିତାଙ୍କୁ କିଡନି ଦାନ କରିବାକୁ ଚାହୁଁଛନ୍ତି।

ତେବେ ସରକାରୀ ଓକିଲ ଏହାକୁ ବିରୋଧ କରି ଯୁକ୍ତି ଦର୍ଶାଇଥିଲେ ଯେ ଅଭିଯୁକ୍ତ ଜଣକ ଅନେକ ଗୁରୁତର ଅଭିଯୋଗରେ ଜେଲ ଦଣ୍ଡ ଭୋଗୁଛନ୍ତି ଏବଂ ତାଙ୍କର ଅନ୍ୟ ଭାଇମାନେ ମଧ୍ୟ ପିତାଙ୍କ ଯତ୍ନ ନେଇପାରିବେ। ଏହାକୁ ନେଇ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଯଦି ଅଭିଯୁକ୍ତ ତାଙ୍କ କିଡନିକୁ ତାଙ୍କ ପିତାଙ୍କୁ ଦେବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ଆବଶ୍ୟକ ପରୀକ୍ଷା ପାଇଁ ଡାକ୍ତରଖାନା ନିଆଯାଉ। ଯଦି ଡାକ୍ତରଖାନା ଅନୁମତି ଦେବ, ତେବେ ଅଭିଯୁକ୍ତ ଜଣକ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିପାରିବେ |

ସମ୍ବନ୍ଧିତ ଖବର