ପୋଷ୍ୟ ସନ୍ତାନ ନେଉଥିବା ମା’ଙ୍କ ପାଇଁ ବି ଲାଗୁ ହେବ କି ମାତୃତ୍ଵ ଅବକାଶ? କେନ୍ଦ୍ରଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୋଷ୍ୟ ସନ୍ତାନ ନେଉଥିବା ମା’ଙ୍କ ପାଇଁ ବି ଲାଗୁ ହେବ କି ମାତୃତ୍ଵ ଅବକାଶ ବା ମ୍ୟାଟରନିଟି ଲିଭ ? କେନ୍ଦ୍ର ସରକାରଙ୍କ ପାଖରୁ ଆଜି ଏବାବଦରେ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ | ମାତୃତ୍ୱ ଲାଭ ଆଇନ, ୧୯୬୧ ର ଏକ ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କେନ୍ଦ୍ରର ପ୍ରତିକ୍ରିୟା ଲୋଡିଛନ୍ତି। ଏହି ଆବେଦନରେ ପଚରାଯାଇଥିଲା ଯେ, ଯଦି ଜଣେ ମହିଳା ତିନି ମାସରୁ କମ୍ ବୟସର ଶିଶୁକୁ ଆଇନଗତ ଭାବେ ଗ୍ରହଣ କରନ୍ତି, ତେବେ ସେ ମାତୃତ୍ୱ ପାଇଁ ଯୋଗ୍ୟ ହେବେ କି? ଜଷ୍ଟିସ୍ ଏସଏ ନାଜିର ଏବଂ ଜଷ୍ଟିସ୍ କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠ, ଆଇନ ଓ ନ୍ୟାୟ ମନ୍ତ୍ରାଳୟ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ଏକ ଜନସ୍ୱାର୍ଥ ଯାଚିକାର ବିଚାର କରି କୋର୍ଟ ଜବାବ ଦେବାକୁ କହିଛନ୍ତି |

ସୂଚନା ମୁତାବକ କର୍ଣ୍ଣାଟକର ହାନସା ନନ୍ଦିନୀ ନନ୍ଦୁରୀ ନାମକ ଜଣେ ମହିଳା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ତିନି ମାସରୁ କମ୍ ବୟସର ଶିଶୁକୁ ଆଇନଗତ ଭାବେ ଗ୍ରହଣ କରିଥିଲେ ବି ତାଙ୍କୁ ମାତୃତ୍ଵ ଅବକାଶ ମିଳିନାହିଁ | କାରଣ ୧୯୬୧ ଅଧିନିୟମର ୫ (୪) ତାଙ୍କୁ ଅବକାଶର ଅନୁମତି ଦେଉ ନାହିଁ | ଆଉ ଏହି ଅଧିନିୟମର ଧାରା ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରୁଥିବା ମା’ଙ୍କ ପ୍ରତି ଭେଦଭାବ କରୁଥିବାର ସେ ଆବେଦନ କରିଥିଲେ | କାରଣ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ଅନୁଯାୟୀ, ଏକ ଅନାଥ ପିଲାକୁ ଆଇନଗତ ଭାବରେ ଗ୍ରହଣ କଲେ ଜଣେ ମା ହୋଇପାରିବେ ।

କିନ୍ତୁ ମାତୃତ୍ୱ ଅଧିନିୟମ ୧୯୬୧ ଅନୁଯାୟୀ ସେ ମାତୃତ୍ୱ ପାଇଁ ଯୋଗ୍ୟ ହେବେ ନାହିଁ। ଏହି ଆବେଦନପତ୍ରରେ ପୋଷ୍ୟ ସନ୍ତାନଙ୍କ ମା’ଙ୍କୁ ଦିଆଯାଇଥିବା ମାତୃତ୍ୱ ଛୁଟିର ଅବଧି ଉପରେ ମଧ୍ୟ ପ୍ରଶ୍ନ ଉଠିଛି। କୁହାଯାଇଛି ଯେ ପୋଷ୍ୟ ସନ୍ତାନ ନେଉଥିବା ମା’ଙ୍କ ପାଇଁ ମାତୃତ୍ୱ ଛୁଟି ମାତ୍ର ୧୨ ସପ୍ତାହ ଥିବାବେଳେ ପ୍ରସବ କରୁଥିବା ମା ‘ଙ୍କ ପାଇଁ ମାତୃତ୍ୱ ଅବକାଶ ୨୬ ସପ୍ତାହ ଦିଆଯାଉଛି | ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମଣ୍ତଳୟ ଏବଂ ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟକୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି।

ସମ୍ବନ୍ଧିତ ଖବର