ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପ‌ରେ ମୁଁ ସିଟ୍ ବେଲ୍ଟ ଲଗାଇବା ଆରମ୍ଭ କରିଛି; ସାଙ୍ଗକୁ ହରାଇବା ପରେ କହିଲେ ସୁପ୍ରିୟା ସୁଲେ

ମୁମ୍ବାଇ: ସାଇରସ୍ ମୋର ଭାଇ ଓ ବନ୍ଧୁ ଥିଲେ। ଆମ ଭିତରେ ବହୁତ ମଧୁର ସମ୍ପର୍କ ଥିଲା। ମୋର ସ୍ୱାମୀଙ୍କ ସହ ତାଙ୍କର ମଧ୍ୟ ଭଲ ସମ୍ପର୍କ ଥିଲା। ଆମ ପିଲାମାନେ ସମାନ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ତାଙ୍କ ମୃତ୍ୟୁ ମୋତେ ଦୋହଲାଇ ଦେଇଛି। ପ୍ରସିଦ୍ଧ ବ୍ୟବସାୟୀ ସାଇରସ୍ ମିସ୍ତ୍ରୀଙ୍କୁ ମନେ ପକାଇ ଏଭଳି କହିଛନ୍ତି ଏନସିପି ସାଂସଦ ସୁପ୍ରିୟା ସୁଲେ। ରବିବାର ଦିନ ଏକ କାର ଦୁର୍ଘଟଣାରେ ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସମୟରେ ସାଇରସ୍ କାରର ପଛ ସିଟରେ ଥିଲେ ଏବଂ ସିଟ୍ ବେଲ୍ଟ ପିନ୍ଧି ନଥିଲେ। ଏହି ଦୁର୍ଘଟଣା ସଡକ ସୁରକ୍ଷାକୁ ନେଇ ବିତର୍କକୁ ଆହୁରି ତୀବ୍ର କରିଛି। ଏମଧ୍ୟରେ ଯେଉଁମାନେ କାରର ପଛ ସିଟରେ ବସିଛନ୍ତି ସେମାନଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବାକୁ ଖୁବ୍ ଶୀଘ୍ର ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର।

ଏ ସମ୍ପର୍କରେ ସୁପ୍ରିୟା କହିଛନ୍ତି, “ମୁଁ ସକାଳେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀଜୀଙ୍କୁ ଧନ୍ୟବାଦ ଜଣାଇଛି। ସଂସଦରେ ଆମେ କେବଳ ଝଗଡା କରୁନାହୁଁ। ଗଡକରୀ ସାହେବ ଭଲ ପରାମର୍ଶ ନେଇ ଆସୁଛନ୍ତି। ଆମେ ସମସ୍ତ ସାଂସଦ ଦେଶର ସ୍ୱାର୍ଥ ପାଇଁ ଏକାଠି ଛିଡା ହୋଇଛୁ। ଆମେ ସୁରକ୍ଷା ବିଷୟରେ ଅନ୍ୟକୁ ସଚେତନ କରୁଥିଲେ ବି ନିଜେ ନିୟମ ମାନୁନାହୁଁ। ମୁଁ ମଧ୍ୟ ସିଟ୍ ବେଲ୍ଟ ବ୍ୟବହାର କରୁନଥିଲି। କିନ୍ତୁ ସାଇରସ୍ ମିସ୍ତ୍ରୀଙ୍କ ଦୁର୍ଘଟଣା ପରେ ମୁଁ ସିଟ୍ ବେଲ୍ଟ ପିନ୍ଧିବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର