ମାଳି ନିଯୁକ୍ତି ମାମଲା ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ଓଡ଼ିଶାର କୃଷି ବିଭାଗରେ ମାଳି ନିଯୁକ୍ତି ସମ୍ପର୍କିତ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଓ ରାଜ୍ୟ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଓ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଖାଲି ପଡ଼ିଥିବା ମାଳି ପଦବି ଗୁଡ଼ିକରେ ନିଯୁକ୍ତି ପାଇଁ ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ବିଚାରପତି ହେମନ୍ତ ଗୁପ୍ତା ଓ ବିଚାରପତି ଏଲ ନାଗେଶ୍ବର ଏହି ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲଙ୍କ ଆଦେଶ, ଯେଉଁଥିରେ ଆବେଦନକାରୀଙ୍କୁ ମାଳିରୂପେ ନିଯୁକ୍ତି କରାଯାଉ ବୋଲି କୁହାଯାଇଛି ତାହା ଟ୍ରିବ୍ୟୁନାଲଙ୍କ ଅଧିକାର କ୍ଷମତାରେ ନାହିଁ। ସାର୍ବଜନିକ ପଦ ନିଯୁକ୍ତି ପାଇଁ ଏଭଳିଭାବେ କୌଣସି ନିର୍ଦ୍ଦେଶ ଦିଆଯାଇ ପାରିବନାହିଁ ।

ସୁପ୍ରମକୋର୍ଟ ରାୟରେ କହିଛନ୍ତି ପ୍ରଶିକ୍ଷଣର ଚୟନ ପ୍ରକ୍ରିୟା ପାରଦର୍ଶିତାପୂର୍ଣ୍ଣ ନଥିଲା। ମାଳି ରୂପେ ପ୍ରଶିକ୍ଷଣ ପାଇବା ପରେ ସେମାନଙ୍କୁ ନିଯୁକ୍ତି ମିଳିବାର ପ୍ରତିଶ୍ରୁତି ମିଳିନଥଲା। ଅତଏବ୍ ଯଦି କୌଣସି ପ୍ରାର୍ଥୀ ପ୍ରଶିକ୍ଷଣ ଶେଷ କରୁଛି ସେ ନିଯୁକ୍ତି ପାଇଁ ଦାବି କରିପାରିବ ନାହିଁ। ସେହି ପଦଗୁଡ଼ିକର ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ ପାଇବ ଓ ପଦ ପୂରଣ ପାଇଁ ସେହିଭଳି ସମସ୍ତ ପ୍ରାର୍ଥୀମାନଙ୍କୁ ସୁଯୋଗ ଦିଆଯିବ। ସୁପ୍ରିମକୋର୍ଟ କହିଛନ୍ତି ପ୍ରାର୍ଥୀମାନେ ପ୍ରଶିକ୍ଷିତ ହୋଇଛନ୍ତି। ଏହି ଆଧାରରେ ସେମାନଙ୍କୁ ନିଯୁକ୍ତିର ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ। ସୁପ୍ରିମକୋର୍ଟ ମାଳି ପଦକୁ ଉଦ୍ୟାନ ସମ୍ପ୍ରସାରଣ କର୍ମୀକୁ ଅପଗ୍ରେଟ କରାଯିବା ବା ଏହାର ସମାନ ପଦର ଶବ୍ଦାବଳୀକୁ ପରୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ରାୟରେ କହିଛନ୍ତି। ସମସ୍ତ ସାର୍ବଜନିକ ପଦ ପୂରଣ ପାଇଁ ପ୍ରାର୍ଥୀ ମାନଙ୍କୁ ଆବେଦନ କରିବାର ସୁଯୋଗ ପ୍ରଦାନ କରିବା ସହିତ ପ୍ରତିଦ୍ବନ୍ଦ୍ବିତା କରିବାର ବ୍ୟବସ୍ଥା ରହିଥିବା ରାୟରେ ଉଲ୍ଲେଖ କରାଯାଇଛି।

ଉଲ୍ଲେଖଥାଉକି, ଜୁଲାଇ ୪, ୧୯୯୮ରେ ପ୍ରତିବାଦୀମାନେ ପ୍ରଶିକ୍ଷଣ ନେଇଥିଲେ। ଏପ୍ରିଲ ୧୬, ୧୯୯୮ ସର୍କୁଲାର ଅନୁସାରେ ପ୍ରଶିକ୍ଷଣ ପ୍ରସ୍ତାବିତ ଥିଲା । ପ୍ରଶିକ୍ଷଣ ପରେ କୌଣସି ପ୍ରକାର ସଫଳ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ ସେମିତି କିଛି ସୁନିଶ୍ଚିତ ନଥିଲା। ୧୯୯୮-୯୯ରୁ ଖୋର୍ଦ୍ଧାର ସ୍କୁଲ ଅଫ୍ ହର୍ଟିକଲଚର୍‌ରେ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା କରାଯାଇଥିଲା । ପରବର୍ତ୍ତୀ ସମୟରେ ଟ୍ରେନିଂକୁ ୧୦ କୃଷି ବିଭାଗରେ କରାଯାଇଥିଲା। ଜୁଲାଇ ୪ର ସର୍କୁଲାର ଅନୁସାରେ କୌଣସି ନିଯୁକ୍ତିର ଆଶ୍ବାସନା ଦିଆଯାଇନଥିଲା। ୧୩୫୯ ଜଣ ପ୍ରାର୍ଥୀଙ୍କ ଦ୍ବାରା ଆବେଦନ କରାଯାଇଥିଲା । ୩୬୨ ଜଣ ପ୍ରାର୍ଥୀ ପ୍ରଶିକ୍ଷଣ ପାଇଁ ଚୟନ ହୋଇଥିଲେ ମଧ୍ୟ ସେମାନଙ୍କର ଚୟନର ପ୍ରକ୍ରିୟା ରେକର୍ଡକୁ ଆସିନଥିବାର ରାୟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର