ସୁରତ : ଗୁରୁବାର ଗୁଜରାଟର ସୁରତରେ ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେଇ ସମସ୍ତଙ୍କୁ ଆଜାଦୀର ଅମୃତ ମହୋତ୍ସବ ଅବସରରେ ଶୁଭକାମନା ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଆମ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି। ହିନ୍ଦୁସ୍ତାନର ପ୍ରତ୍ୟେକ କୋଣ-ଅନୁକୋଣରେ ତ୍ରିରଙ୍ଗା ଛାଇ ହୋଇଯାଇଛି। ଗୁଜରାଟରେ ମଧ୍ୟ ଏପରି କୌଣସି କୋଣ ନାହିଁ, ଯାହା କି ଉତ୍ସାହରେ ଭରି ହୋଇ ନ ଥିବ। ଆଉ ସୁରତ ତ ଏଥିରେ ଚାରୋଟି ଚନ୍ଦ୍ରମାର ସୌନ୍ଦର୍ଯ୍ୟ ଭରିଦେଇଛି। ଆଜି ସମଗ୍ର ଦେଶର ଧ୍ୟାନ ସୁରତ ଉପରେ ରହିଛି। ସୁରତର ତ୍ରିରଙ୍ଗା ଯାତ୍ରାରେ ଏକ ପ୍ରକାର ଲଘୁ ଭାରତର ଦର୍ଶନ ହେଉଛି, ବୋଧହୁଏ ହିନ୍ଦୁସ୍ତାନର କୌଣସି କୋଣ ଅନୁକୋଣ ଏପରି ନ ଥିବ, ଯେଉଁଠାର ଲୋକ ଆସି ସୁରତରେ ବସବାସ କରୁ ନ ଥିବେ, ଆଉ ଆଜି ଏକ ପ୍ରକାର ସମଗ୍ର ହିନ୍ଦୁସ୍ତାନ ସୁରତ ମାଟିରେ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଛନ୍ତି। ତ୍ରିରଙ୍ଗାରେ ଯୋଡ଼ିବାର ଶକ୍ତି କେତେ ରହିଛି, ଏହାକୁ ଆଜି ଆମେ ସୁରତରେ ଦେଖୁଛୁ। ସୁରତ ନିଜର ବାଣିଜ୍ୟ-ବ୍ୟବସାୟ, ଶିଳ୍ପ ଉଦ୍ୟୋଗ କାରଣରୁ ଦୁନିଆରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି। ଆଜି ସୁରତରେ ହେଉଥିବା ତ୍ରିରଙ୍ଗା ଯାତ୍ରା, ସମଗ୍ର ବିଶ୍ବରେ ହିଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ।
ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଗୁଜରାଟର ଗୌରବଶାଳୀ ଯୋଗଦାନ ରହିଛି। ଗୁଜରାଟ ବାପୁଙ୍କ ରୂପରେ ସ୍ୱାଧୀନତା ସଂଗ୍ରାମକୁ ନେତୃତ୍ୱ ଦେଲା। ଗୁଜରାଟ ଲୌହପୁରୁଷ ସର୍ଦ୍ଦାର ପଟେଲଙ୍କ ଭଳି ନେତୃତ୍ୱ ମଧ୍ୟ ଦେଇଛି, ଯିଏ ସ୍ୱାଧୀନତା ପରେ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ମୂଳଦୁଆ ରଚନା କଲେ। ବରଦୋଳୀ ଆନ୍ଦୋଳନ ଏବଂ ଦାଣ୍ଡି ଯାତ୍ରାରୁ ବାହାରିଥିବା ସନ୍ଦେଶ, ସମଗ୍ର ଦେଶକୁ ଏକଜୁଟ କରି ଦେଇଥିଲା। ଗୁଜରାଟର ଏହି ଗୌରବଶାଳୀ ଅତୀତର ଏକ ଅଭିନ୍ନ ଅଂଶ ହେଉଛି ଆମର ସୁରତ।
ଭାରତର ତ୍ରିରଙ୍ଗା କେବଳ ତିନୋଟି ରଙ୍ଗକୁ ନିଜ ମଧ୍ୟରେ ସମାହିତ କରି ନାହିଁ। ଆମର ତ୍ରିରଙ୍ଗା ଆମର ଅତୀତର ଗୌରବକୁ, ଆମର ବର୍ତ୍ତମାନର କର୍ତ୍ତବ୍ୟନିଷ୍ଠାକୁ, ଆଉ ଭବିଷ୍ୟତର ସ୍ୱପ୍ନଗୁଡ଼ିକର ମଧ୍ୟ ହେଉଛି ପ୍ରତିବିମ୍ବ। ଆମର ତ୍ରିରଙ୍ଗା ଭାରତର ଏକତା, ଅଖଣ୍ଡତାର ଆଉ ଭାରତର ବିବିଧତାର ମଧ୍ୟ ହେଉଛି ପ୍ରତୀକ। ଆମର ସ୍ବାଧୀନତା ସଂଗ୍ରାମୀମାନେ ତ୍ରିରଙ୍ଗାରେ ଦେଶର ଭବିଷ୍ୟତକୁ ଦେଖିଲେ, ଦେଶର ସ୍ୱପ୍ନକୁ ଦେଖିଲେ, ଆଉ ଏହାକୁ କେବେ ହେଲେ ନଇଁବାକୁ ଦେଇ ନ ଥିଲେ। ଆଜି ସ୍ୱାଧୀନତାର ୭୫ ବର୍ଷ ପରେ ଯେତେବେଳେ ଆମେ ନୂତନ ଭାରତର ଯାତ୍ରାର ଶୁଭାରମ୍ଭ କରୁଛେ, ସେତେବେଳେ ତ୍ରିରଙ୍ଗା ଆଉ ଥରେ ଭାରତର ଏକତା ଆଉ ଚେତନାର ପ୍ରତିନିଧିତ୍ୱ କରୁଛି। ମୁଁ ଖୁସି ଯେ, ସମଗ୍ର ଦେଶରେ ହେଉଥିବା ତ୍ରିରଙ୍ଗା ଯାତ୍ରାରେ, ‘ହର୍ ଘର୍ ତିରଙ୍ଗା’ ଅଭିଯାନରେ ଦେଶର ସେହି ଶକ୍ତି ଆଉ ଭକ୍ତି ଏକା ସହିତ ଉଦ୍ଭାସିତ ହେଉଛି। ୧୩ରୁ ୧୫ ଅଗଷ୍ଟ ମଧ୍ୟରେ ଭାରତର ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/modi-j.jpg)