ସୁରଟ: ପରିବାରରୁ ଯଦି ପିଲାଟିଏ ମେଡିକାଲ୍, ଇଞ୍ଜିନିୟରିଂ କିମ୍ବା ଅନ୍ୟ କେଉଁଟିରୁ ଗୋଟାଏ ଏନ୍ଟାନ୍ସରେ ଉତ୍ତୀର୍ଣ୍ଣ ହୁଏ ତେବେ ଖୁସିର ସୀମା ରହେ ନାହିଁ। ଯଦି ଜଣେ ପିଲା ଏକାଥରକେ ଏକାଧିକ ଏଣ୍ଟ୍ରାନ୍ସରେ ଉତ୍ତୀର୍ଣ୍ଣ ହୁଏ ତେବେ କିପରି ଅନୁଭବ ହେବ? ଏହା କଳ୍ପନା ନୁହେଁ, ବରଂ ସୁରଟର ଜଣେ ଦକ୍ଷ ଛାତ୍ରୀ ଏକାଥରରେ ଅନେକ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି।
ଏହି ୧୮ ବର୍ଷୀୟା ଗୁଣୀ ଛାତ୍ରୀ ଜଣକ ହେଉଛନ୍ତି ସ୍ତୁତି ଖଣ୍ଡଓ୍ଵାଲା। ସ୍ତୁତି ଏକାଥରରେ ପ୍ରାୟତଃ ଦେଶର ସମସ୍ତ ଏଣ୍ଟ୍ରାନ୍ସ ପରୀକ୍ଷା କ୍ଲିୟର୍ କରିଛନ୍ତି। ସ୍ତୁତି ଏକାବଳକେ ଏମ୍ସସ ଏମ୍ବିବିଏସ୍ ଟେଷ୍ଟ୍, ନିଟ୍, ଜେଆଇପିଏମ୍ଇଆର୍, ଏବଂ ଜେଇଇ(ମେନ୍) ଏଣ୍ଟ୍ରାନ୍ସରେ ନିଜର ପାରଦର୍ଶିତା ଦେଖାଇଛନ୍ତି।
ଖାଲି ଏତିକି ନୁହେଁ, ସେ ଟପ୍ ଇଞ୍ଜିନୟରିଂ ଇନ୍ଷ୍ଟିଟ୍ଵିଟ୍ ମସାଚୁସେଟ୍ସ ଇନ୍ଷ୍ଟିଟ୍ଵିଟ୍ ଅଫ୍ ଟେକ୍ନୋଲୋଜି(ଏମ୍ଆଇଟି) ଏଣ୍ଟ୍ରାନ୍ସ ପରୀକ୍ଷା ମଧ୍ୟ କ୍ଲିୟର୍ କରିଛନ୍ତି।
ସେ ୨୦୧୯ ନିଟ୍ ଏଣ୍ଟ୍ରାନ୍ସରେ ସର୍ବ ଭାରତୀୟ ସ୍ତରରେ ୭୧ ର୍ୟାଙ୍କ୍ରେ ଥିବା ବେଳେ ଏମ୍ସ ଏମ୍ବିବିଏସ୍ ଟେଷ୍ଟ୍ରେ ୧୦ ନମ୍ବର ର୍ୟାଙ୍କ୍ରେ ଅଛନ୍ତି। ସେହିପରି ଜେଆଇପିଏମ୍ଇଆର୍ ଏଣ୍ଟ୍ରାନ୍ସରେ ୨୭ ଓ ଜେଇଇ (ମେନ୍)ରେ ୧୦୮୬ ର୍ୟାଙ୍କ୍ ରଖିଛନ୍ତି।
ସ୍ତୁତିଙ୍କ ପରିଶ୍ରମ ସୁଫଳ ଆଣି ଦେଇଛି। ସେ ଚାହିଁଲେ ଦେଶର କେଉଁ ବି କଲେଜରେ ଇଞ୍ଜିନିୟରିଂ ବା ଡାକ୍ତରୀ ପାଠ ପଢ଼ିପାରିବେ।
ଜାଣିବାକୁ ମିଳିଛି ଯେ ସ୍ତୁତି ତାଙ୍କ ଶିକ୍ଷକ ଓ ସଂପର୍କୀୟମାନଙ୍କଠାରୁ ପରାମର୍ଶ ଗ୍ରହଣ କରି ଆମେରିକାର ଏମ୍ଆଇଟିରେ ଇଞ୍ଜିନିୟରିଂ କରିପାରନ୍ତି ବୋଲି ସୂଚନା ରହିଛି। ସେଠାରେ ସେ ବାଓ-ଇଞ୍ଜିନିୟରିଂ ଉପରେ ଗବେଷଣା କରିବାର ଇଚ୍ଛା ରଖିଛନ୍ତି।
ସେ ସିବିଏସଇ ଯୁକ୍ତ ୨ ପରୀକ୍ଷାରେ ୯୮.୮ ପ୍ରତିଶତ ରଖି ରାଜସ୍ଥାନର ବିଜ୍ଞାନ ଟପ୍ପର ହୋଇଛନ୍ତି।