କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଦିଆଗଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ ଏଣିକି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅତିରିକ୍ତି ଦାୟିତ୍ୱ ବହନ କରିବେ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଭାରତର ରାଷ୍ଟ୍ରପତି ସୁରେଶ ପ୍ରଭୁଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଏକ ଟୁଇଟ୍‌ କରାଯାଇଛି।

ଗତ ଗୁରୁବାର ତେଲ୍‌ଗୁ ଦେଶମ ପାର୍ଟି(ଟିଡିପି) ଏନ୍‌ଡିଏରୁ ଓହରି ଯାଇଥିଲା। ଫଳରେ ଟିଡିପିର ମନ୍ତ୍ରୀ ଅଶୋକ ଗଜପତି ରାଜୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଇଥିଲେ। ରାଜୁଙ୍କ ସହିତ ଅନ୍ୟତମ ଟିଡିପି ମନ୍ତ୍ରୀ ଓ୍ଵାଇ ଏସ୍‌ ଚୌଧୁରୀ ମଧ୍ୟ ଇସ୍ତଫା ଦେଇଥିଲେ।

ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଭାଗକୁ ଗୋଟାଏ ଦିନ ପାଇଁ ନିଜ ଅଧିନରେ ରଖିବା ପରେ ଶେଷରେ ସୁରେଶ ପ୍ରଭୁଙ୍କୁ ବିମାନ ଚଳାଚଳ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ବହୁ ସଂଖ୍ୟାରେ ରେଳ ଦୁର୍ଘଟଣା ଘଟିବାରୁ ତତ୍‌କାଳୀନ ରେଳବାଇ ମନ୍ତ୍ରୀ ଭାବେ ଦାୟିତ୍ୱରେ ଥିବା ସୁରେଶ ପ୍ରଭୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେପ୍ଟେମ୍ବରରେ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ପ୍ରଭୁଙ୍କୁ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର