ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ଗିରଫ ହେଲେ କ୍ରିକେଟର ସୁରେଶ ରାଇନାଙ୍କ ସହିତ ଅନେକ ସେଲିବ୍ରିଟି

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରେ କରୋନା ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗରେ ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ବଲିଉଡ୍ ସେଲିବ୍ରିଟି ସୁଜେନ୍ ଖାନଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମୁମ୍ବାଇର ଏକ କ୍ଲବରେ କରୋନା କଟକଣା ନ ମାନି ପାର୍ଟି କରୁଥିବା ପ୍ରାୟ ୩୪ ଜଣଙ୍କୁ ଗିରଫ କରାଯାଇଛି। ସୂଚନାନୁସାରେ, ଗିରଫ ହୋଇଥିବା ୩୪ ଜଣଙ୍କ ମଧ୍ୟରେ କ୍ରିକେଟର ସୁରେଶ ରାଇନା, ଗାୟକ ଗୁରୁ ରାନ୍ଧୱା, ସୁଜେନ୍ ଖାନ୍ ଏବଂ ଅନ୍ୟମାନେ ଥିଲେ। ତେବେ ପରେ ସୁରେଶ ରାଇନା, ସୁଜେନ୍ ଖାନ୍ ଏବଂ ଗୁରୁ ରାନ୍ଧୱାଙ୍କୁ ଜାମିନ ମିଳିଛି |

ଏହି ପାର୍ଟି ମୁମ୍ବାଇ ବିମାନବନ୍ଦର ନିକଟ ଜେଡବ୍ଲୁ ମ୍ୟାରିଅଟ ହୋଟେଲ କ୍ଲବରେ ଚାଲିଥିଲା। ଆଉ ଯେଉଁଠାରେ କରୋନା ନିୟମ ଉଲ୍ଲଂଘନ କରାଯାଇଥିଲା | ମୁମ୍ବାଇରେ ସମସ୍ତଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ସୂଚନା ଅନୁଯାୟୀ, ରାତ୍ରିକାଳୀନ କର୍ଫ୍ୟୁ ଜାରି ପରେ ମଧ୍ୟ ଏହି କ୍ଲବରେ ହାଇପ୍ରୋଫାଇଲ୍ ପାର୍ଟି ଚାଲିଥିଲା। ଆଉ ପାର୍ଟି ଚାଲିଥିବା ନେଇ ପୁଲିସ ସୂଚନା ପାଇବା ପରେ ଭୋର ପ୍ରାୟ ସାଢେ ୩ଟାରେ ଚଢ଼ାଉ ହୋଇଥିଲା |

ମୁମ୍ବାଇ ପୁଲିସର ସୂତ୍ର ଅନୁଯାୟୀ ସୁରେଶ ରାଇନାଙ୍କ ବ୍ୟତୀତ ଆଉ କିଛି ସେଲିବ୍ରିଟି କ୍ଲବର ପଛ ଦ୍ୱାର ଦେଇ ଖସି ପଳାଇଥିଲେ । ଆଇପିସିର ଧାରା ୧୮୮, ୨୬୯ ଏବଂ ୩୪ ଅନୁଯାୟୀ ସୁରେଶ ରାଇନାଙ୍କ ସମେତ ଏହି ସେଲିବ୍ରିଟିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୁମ୍ବାଇରେ ଲକଡାଉନ୍ ନିୟମ ଜାରି କରାଯାଇଥିବାବେଳେ ରାତି ୧୧ଟା ପରେ କୌଣସି ପ୍ରକାର ପାର୍ଟି କିମ୍ବା ସର୍ବସାଧାରଣ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି |

ସମ୍ବନ୍ଧିତ ଖବର