ପିଉସାଙ୍କୁ ହତ୍ୟା କରାଯିବା ପରେ ନ୍ୟାୟ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ‌କଲେ କ୍ରିକେଟର ସୁରେଶ ରାଇନା

ପିଉସାଙ୍କ ପରେ ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଲେ ରାଇନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସୁରେଶ ରାଇନା ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ପଞ୍ଜାବ ପୁଲିସ ନିକଟରେ ପିଉସାଙ୍କ ହତ୍ୟା ପାଇଁ ନ୍ୟାୟ ଦାବି କରିଛନ୍ତି। ଅଗଷ୍ଟ ୧୯ରେ ପଠାନକୋଟରେ ସୁରେଶ ରାଇନାଙ୍କ ପିଉସୀ ଘର ଉପରେ କିଛି ଅଜଣା ଯୁବକ ଆକ୍ରମଣ କରିଥିଲେ। ଅଜ୍ଞାତ ଆକ୍ରମଣକାରୀମାନେ ପଠାନକୋଟ ଅନ୍ତର୍ଗତ ମାଧୋପୁର ଅଞ୍ଚଳର ଥାରିଆଲ ଗ୍ରାମରେ ସୁରେଶ ରାଇନାଙ୍କ ପିଉସୀଙ୍କ ଘରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସୁରେଶ ରାଇନାଙ୍କ ପିଉସାଙ୍କର ମୃତ୍ୟୁ ହୋଇଥିବାବେଳେ ପରିବାରର ଅନ୍ୟ ସଦସ୍ୟ ଗୁରୁତର ଆହତ ହୋଇଥିଲେ।

ରାଇନାଙ୍କ ପିଉସୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି ଏବଂ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏତେ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହତ୍ୟାକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ନାହିଁ। ଏ ନେଇ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଜାବ ସରକାରଙ୍କୁ ଗୁହାରି କରିଛନ୍ତି ରାଇନା ।

ସୁରେଶ ରାଇନା ଟ୍ୱିଟ୍ କରି କହିଛନ୍ତି, ପଞ୍ଜାବରେ ମୋ ପରିବାର ସହିତ ଯାହା ଘଟିଲା ​​ତାହା ଅତ୍ୟନ୍ତ ଭୟଙ୍କର ଥିଲା। ସେହି ଘଟଣାରେ ମୋର ପିଉସାଙ୍କୁ ହତ୍ୟା କରାଯାଇଥିବା ବେଳେ ପିଉସୀ ଏବଂ ମୋର ଦୁଇ ସମ୍ପର୍କୀୟ ଭଉଣୀ ଗୁରୁତର ଆହତ ହୋଇଥିଲେ। ଦୁର୍ଭାଗ୍ୟବଶତଃ ଗତ ରାତିରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମୋର ସମ୍ପର୍କୀୟ ଭଉଣୀଙ୍କର ମୃତ୍ୟୁ ଘଟିଛି | ମୋର ପିଉସୀ ଏବେ ବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ଅନ୍ୟ ଏକ ଟୁଇଟରେ ସୁରେଶ ରାଇନା ଲେଖିଛନ୍ତି, ‘ଆଜି ପର୍ଯ୍ୟନ୍ତ ଆମେ ଜାଣିପାରି ନାହୁଁ ଯେ, ସେହି ରାତିରେ କ’ଣ ଘଟିଥିଲା ଏବଂ କିଏ ଏହି ନୃଶଂସ କାମ କରିଛି। ମୁଁ ପଞ୍ଜାବ ପୁଲିସକୁ ଏହି ଘଟଣାର ଦୃଷ୍ଟି ଦେବାକୁ ଅନୁରୋଧ କରୁଛି। ଏଭଳି ନୃଶଂସ କାମ କିଏ କରିଛି, ତାହା ଜାଣିବା ଆମର ଅଧିକାର। ସେମାନଙ୍କୁ ଏଭଳି ଅପରାଧ କରିବା ପାଇଁ ଛଡ଼ା ନଯାଇ ତୁରନ୍ତ ଗିରଫ କରାଯିବା ଆବଶ୍ୟକ ବୋଲି ଲେଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ପଞ୍ଜାବ ପୁଲିସକୁ ଟ୍ୟାଗ କରିଛନ୍ତି ରାଇନା।

ସମ୍ବନ୍ଧିତ ଖବର