ପୁଲଓ୍ଵାମା ଆକ୍ରମଣର ପରଦିନଠାରୁ ହିଁ ହୋଇଥିଲା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ନିଷ୍ପତ୍ତି: ସାରା ଦେଶକୁ ଜଣାନଥିଲା, ଭିତରେ ଚାଲିଥିଲା ପ୍ରସ୍ତୁତି

ପୁଲଓ୍ଵାମା: ଜମ୍ମୁ-କଶ୍ମୀର ପୁଲଓ୍ଵାମାଠାରେ ଆତ୍ମଘାତୀ ଆକ୍ରମଣ ଘଟାଇଥିବା ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦର ପ୍ରତିଶୋଧ ଭାରତ ନେଇ ସାରିଛି। ଫେବ୍ରୁଆରି ୧୪ ତାରିଖରେ ହୋଇଥିବା ଏହି ଆକ୍ରମଣ ପରେ ଭାରତ ପ୍ରତିଶୋଧ ନିଆଁରେ ଜଳୁଥିଲା। ସୋମ-ମଙ୍ଗଳ ମଧ୍ୟ ରାତ୍ରରେ ଭାରତୀୟ ବାୟୁ ସେନା ନିୟନ୍ତ୍ରଣ ରେଖା ପାର୍‌ କରି ପାକ୍‌ରେ କରିଥିବା ଏୟାର୍‌ ଷ୍ଟ୍ରାଇକ୍‌ ପରେ ପୂରା ଦେଶ ଏବେ ଖୁସି ମନାଉଛି।ଏହି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହେବା ପରେ ହିଁ ଜଣାପଡ଼ିଛି ଯେ ପୁଲଓ୍ଵାମା ଆକ୍ରମଣ ପରଦିନଠାରୁ ହିଁ ପାଲଟା ଜବାବର ପ୍ରସ୍ତୁତି ଆରମ୍ଭ ହୋଇଥିଲା।

ଆକ୍ରମଣ ହୋଇଥିଲା ଫେବ୍ରୁଆରି ୧୪ ତାରିଖରେ ଓ ଆତଙ୍କବାଦୀମାନଙ୍କୁ ଓଲଟା ଯବାବ ଦେବାକୁ ନିଷ୍ପତ୍ତି ହୋଇଥିବା ତା’ପରଦିନ ଅର୍ଥାତ ଫେବ୍ରୁଆରି ୧୫ ତାରିଖରେ। ସୂଚନା ରହିଛି ଯେ ୧୫ ତାରିଖରେ ଏୟାର୍‌ ଚିଫ୍‌ ମାର୍ସଲ ବିରେନ୍ଦ୍ର ସିଂହ ଧନଓ୍ଵା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏୟାର୍‌ ଷ୍ଟ୍ରାଇକ୍‌ କରିବା ପାଇଁ ପସ୍ତାବ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସ୍ତାବକୁ ମଞ୍ଜୁରି ମଧ୍ୟ ଦେଇଥିଲେ।

ଏହାପରେ ଫେବ୍ରୁଆରି ୧୬ରୁ ୨୦ ତାରିଖ ମଧ୍ୟରେ ଭାରତୀୟ ବାୟୁସେନା ଓ ସେନା ମିଳିତ ଭାବେ ନିୟନ୍ତ୍ରଣ ରେଖାକୁ ଡ୍ରୋନ୍‌ ଦ୍ୱାରା ବୁଲି ଦେଖିଥିଲେ। ୨୦ ତାରିଖରୁ ୨୨ ତାରିଖ ଭିତରେ ଭାରତୀୟ ବାୟୁସେନା ଓ ଗୁଇନ୍ଦା ଏଜେନ୍ସି ମିଳିତ ଭାବେ ନିୟନ୍ତ୍ରଣ ରେଖାରେ କେଉଁଠାରେ ଷ୍ଟ୍ରାଇକ୍‌ ହୋଇପାରିବ ସେ ନେଇ ‘ଟାର୍ଗେଟ ଟେବଲ୍‌’ ପ୍ରସ୍ତୁତ କଲେ। ଟାର୍ଗେଟ ଟେବୁଲ୍‌ ପ୍ରସ୍ତୁତ କରିବା ପରେ ଫେବ୍ରୁଆରି ୨୧ ତାରିଖରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଏୟାର୍‌ ଷ୍ଟ୍ରାଇକ୍‌ ପାଇଁ ର୍ଟାର୍ଗେଟ୍‌ ବିକଳ୍ପ ପସ୍ତୁତ କରିବାରେ ଲାଗିପଡ଼ିଲେ।

ଟାର୍ଗେଟ ବିକଳ୍ପ ପ୍ରସ୍ତୁତ ହେବା ପରେ ଷ୍ଟ୍ରାଇକ୍‌ ପାଇଁ ଭାରତୀୟ ବାୟୁସେନାର ୧୨ଟି ଯୁଦ୍ଧ ବିମାନ ଚୟନ କରାଯାଇଥିଲା। ସମସ୍ତ ପ୍ରସ୍ତୁତି ହୋଇ ସାରିଥିଲା। ଫେବ୍ରଆରି ୨୪-୨୫ ତାରିଖ ବିଳମ୍ବିତ ରାତିରେ ଗୋଲିୟର୍‌ରୁ ଭାରତୀୟ ବାୟୁସେନା ଷ୍ଟ୍ରାଇକ୍‌ ଅଭିମୁଖେ ଉଡ଼ାଣ ଭରିଥିଲା। ଯୁଦ୍ଧ ବିମାନରେ ବାୟୁସେନା ଲେଜର୍‌ ଗାଇଡେଡ୍‌ ବମ୍‌ ନେଇ ନିୟନ୍ତ୍ରଣ ରେଖାରେ ଥିବା ଜୈଶ୍‌-ଇ-ମହମ୍ମଦ ଶିବିର ଉପରେ ପକାଇବା ଦ୍ୱାରା ପାଖାପାଖି ୩୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି।

ସମ୍ବନ୍ଧିତ ଖବର