ନୂଆଦିଲ୍ଲୀ : ପଡ଼ୋଶୀ ଦେଶ ମିଆଁମାରରେ ଥିବା ଉଲଫା ବିଦ୍ରୋହୀଙ୍କ ଶିବିର ଉପରେ ଭାରତୀୟ ସେନା ଏକ ସର୍ଜିକାଲ ଷ୍ଟ୍ରାଇକ କରିଛି ବୋଲି ନିଜେ ଉଲଫା ଦାବି କରିଛି । ତେବେ ଭାରତୀୟ ସେନା ଏହି ଖବରକୁ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ ।

Advertisment

ସୂଚନା ଅନୁସାନେ ଭାରତର ବିଚ୍ଛିନ୍ନତାବାଦୀ ସଂଗଠନ ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ ଆସୋମ (ଇଣ୍ଡିପେଣ୍ଡେଣ୍ଟ)-(ଆଇ) ବା ଉଲଫା-ଆଇ ପକ୍ଷରୁ ଦାବି କରାଯାଇଛି ଯେ ଭାରତୀୟ ସେନା ପକ୍ଷରୁ ଡ୍ରୋନା ପଠାଇ ମିଆଁମାରରେ ଥିବା ଏହାର ଶିବିର ଉପରେ ଆକ୍ରମଣ କରିଛି । ଏହା ଦ୍ବାରା ଉଲଫାର ୨ ଜଣ ବରିଷ୍ଠ କମାଣ୍ଡର ମୃତ୍ୟୁବରଣ କରିଛନ୍ତି । ସେମାନେ ହେଉଛନ୍ତି ବ୍ରିଗେଡିୟର ଗଣେଶ ଆସୋମ ଓ କର୍ଣ୍ଣେଲ ପ୍ରଦୀପ ଆସୋମ । ଏହି ଘଟଣାରେ ଆଉ ୧୯ ଜଣ ଆହତ ହୋଇଛନ୍ତି । 

ଆଉ କେତେକ ରିପୋର୍ଟ ଅନୁସାରେ ଭାରତୀୟ ସେନା ପକ୍ଷରୁ ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ ନାଗାଲାଣ୍ଡ (ଖାପଲାଙ୍ଗ୍) ଉପରେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଛି । ତେବେ ଏ ସଂପର୍କରେ ପଚରାଯିବାରୁ ଗୁଆହାଟୀରେ ଥିବା ଭାରତୀୟ ସେନାର ମୁଖପାତ୍ର ଲେପ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାଓ୍ବତ କହିଛନ୍ତି ଯେ ଏ ନେଇ କୌଣସି ସୂଚନା ଉପଲବ୍ଧ ନାହିଁ ।