ନୂଆଦିଲ୍ଲୀ: ପୁଲଵାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଏବଂ ଏହାର ପରବର୍ତ୍ତୀ ଭାରତୀୟ ବାୟୁସେନାର ବାଲାକୋଟରେ ବୋମାମାଡ଼ ଘଟଣାରେ ସାରା ବିଶ୍ବର ନଜର ଅଟକିଯାଇଥିବା ବେଳେ ସମସ୍ତଙ୍କ ଅଲକ୍ଷ୍ୟରେ ଭାରତୀୟ ସେନାବାହିନୀ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ରେ ନିଜକୁ ସାମିଲ କରିଥିଲା। ଭାରତ-ମିଆଁମାର ସୀମାରେ ବିଦ୍ରୋହୀ ଗୋଷ୍ଠୀଙ୍କ ପକ୍ଷରୁ ଦେଖାଦେଇଥିବା ଚ୍ୟାଲେଞ୍ଜକୁ ପ୍ରତିହତ କରିବା ପାଇଁ ଭାରତୀୟ ସ୍ଥଳସେନା ସେଠାରେ ନିୟୋଜିତ ଥିଲା। ଭାରତର ପୂର୍ବୋତ୍ତର ରାଜ୍ୟଗୁଡ଼ିକ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ମନେ ହେଉଥିବା କାଲାଦାନ ବୃହତ ଗମନାଗମନ ପ୍ରକଳ୍ପ ବିରୋଧରେ ସ୍ବର ଉଠାଉଥିବା ଏହି ବିଦ୍ରୋହୀ ଗୋଷ୍ଠୀଙ୍କୁ ଦମନ କରିବା ପାଇଁ ଫେବ୍ରୁଆରି ୧୭ରୁ ମାର୍ଚ୍ଚ ୨ ଯାଏ ମିଆଁମାର ସେନା ସହିତ ମିଶି ଭାରତୀୟ ଯବାନମାନେ ଏହି କାର୍ଯ୍ୟାନୁଷ୍ଠାନ ଚଳାଇଥିଲେ।
ସୂଚନାନୁଯାୟୀ, କୋଲକାତା ଏବଂ ମିଆଁମାରର ସିତ୍ବେ ବନ୍ଦରକୁ ସଂଯୋଗ କରୁଥିବା ବୃହତ୍ କାଲାଦାନ ପ୍ରକଳ୍ପ ମାଧ୍ୟମରେ ମିଜୋରାମ ସହ ଯୋଗାଯୋଗ ସହଜ ହେବା ସହ ସମଗ୍ର ପୂର୍ବୋତ୍ତର ରାଜ୍ୟ ଉପକୃତ ହୋଇପାରିବେ। ଭାରତ ଦ୍ବାରା ୪୮,୪୦୦ କୋଟି ଆମେରିକୀୟ ଡଲାର ବ୍ୟୟ ଅଟକଳରେ ପ୍ରାୟୋଜିତ ଏହି ପ୍ରକଳ୍ପ ଦ୍ବାରା କୋଲକାତା ଏବଂ ମିଜୋରାମ ମଧ୍ୟରେ ଦୂରତା ପାଖାପାଖି ହଜାରେ କିମି କମିଯିବା ସହ ଗସ୍ତ ସମୟ ଅତିକମରେ ୪ ଦିନ ବଞ୍ଚିପାରିବ ବୋଲି ଆକଳନ କରାଯାଉଛି। ଅପରପକ୍ଷେ, ମିଆଁମାରରେ ଆରାକାନ୍ ସେନା ଭାବେ ପରିଚିତ ଏହି ବିଦ୍ରୋହୀ ଗୋଷ୍ଠୀ ଚୀନ ସହଯୋଗରେ କାୟା ବିସ୍ତାର କରିବା ସହ କାଲାଦାନ ବହୁମୁଖୀ ଗମନାଗମନ ପ୍ରକଳ୍ପକୁ ତୀବ୍ର ବିରୋଧ କରି ଆସୁଛି। ଏପରିକି ୨୦୨୦ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପକୁ ଆଇଡି ବିସ୍ଫୋରଣ କରି ଉଡ଼ାଇଦେବାକୁ ମଧ୍ୟ ଆରାକନ୍ ସେନା ମସୁଧା ଚଳାଇଛି। ତେବେ ଗତ ମାସରେ ବିଶ୍ବ ସମୁଦାୟର ଦୃଷ୍ଟି ଭାରତର ପଶ୍ଚିମ ସୀମାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ନିପାତ ଅଭିଯାନ ଉପରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ପୂର୍ବ ସୀମାରେ ଭାରତୀୟ ସେନା ମିଆଁମାର ସେନା ସହଯୋଗରେ ଏହି ବିଦ୍ରୋହୀମାନଙ୍କୁ ସାବାଡ଼ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା। ପ୍ରଥମେ ମିଜୋରାମ ସୀମାରେ ଆରାକାନ୍ ସେନା ଗଢ଼ିଥିବା ନୂତନ ଶିବିରଗୁଡ଼ିକୁ ଧ୍ବଂସ କରାଯାଇଥିଲା। ପରେ ଅରୁଣାଚଳପ୍ରଦେଶ ସୀମାରେ ନାଗା ଗୋଷ୍ଠୀ(ଏନ୍ଏସସିଏନ୍)ଶିବିରଗୁଡ଼ିକୁ ଧ୍ବଂସ କରାଯାଇଥିଲା। ଦୁଇ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିବା ଏହି ଅଭିଯାନରେ ଭାରତୀୟ ସ୍ଥଳସେନା, ଆସାମ ରାଇଫଲ୍ ଏବଂ ଅନ୍ୟାନ୍ୟ ଅର୍ଦ୍ଧ ସାମରିକ ବଳର ୧୨,୦୦୦ ଯବାନ ନିୟୋଜିତ ଥିଲେ। ଦୀର୍ଘ ଦୁଇ ସପ୍ତାହ ଧରି ଚାଲିଥିବା ସେନାର ଏହି କାର୍ଯ୍ୟାନୁଷ୍ଠାନରେ ୧୨ରୁ ଅଧିକ ବିଦ୍ରୋହୀ ଶିବିର ଧ୍ବଂସ ହେବା ସହ ବିଦ୍ରୋହୀମାନଙ୍କୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Myanmar.jpeg)