ନୂଆଦିଲ୍ଲୀ : ୟୁପିଏ ସରକାର ଅମଳରେ ୬ଟି ସର୍ଜିକାଲ ହୋଇଥିବା ନେଇ କଂଗ୍ରେସ ଦାବି କରୁଥିବାବେଳେ ଆଜି କେନ୍ଦ୍ର ବିଦେଶ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି.କେ. ସିଂହ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଉପା ସରକାର ସମୟରେ କୌଣସି ସର୍ଜିକାଲ ଷ୍ଟ୍ରାଇକ୍ ହୋଇନାହିଁ। କଂଗ୍ରେସର ମିଛ କହିବାର ଅଭ୍ୟାସ ଅଛି। ଯଦି ଉପା ସରକାର ସମୟରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଛି ତେବେ କଂଗ୍ରେସ ଏ ନେଇ ପ୍ରମାଣ ଦେଉ ବୋଲି ସିଂହ କହିଛନ୍ତି। ଉଲ୍ଲେଖଯୋଗ୍ୟ ବରିଷ୍ଠ କଂଗ୍ରେସ ନେତା ରାଜୀବ ଶୁକ୍ଳା ଗତ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ ଯେ ଉପା ସରକାର ସମୟରେ ୬ଟି ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିଲା ଏବଂ ଏନେଇ ସେ ୬ଟି ତାରିଖ ଦେଇଥିଲେ। ଶୁକ୍ଳା ଦାବି କରିଥିଲେ ଯେ ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍ ଜମ୍ମୁ କଶ୍ମୀରର ପୁଞ୍ଚ୍ ସେକ୍ଟର ସ୍ଥିତ ଭଟ୍ଟଳ ସେକ୍ଟରରେ ଜୁନ୍ ୧୯, ୨୦୦୮ରେ ହୋଇଥିଲା। ଦ୍ବିତୀୟ ସର୍ଜିକାଲ ଷ୍ଟ୍ରାଇକ୍ ୨୦୧୧ ମସିହା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ମଧ୍ୟରେ ହୋଇଥିଲା। ତୃତୀୟ ସର୍ଜିକାଲ ଷ୍ଟ୍ରାଇକ୍ ୨୦୧୩ ଜାନୁଆରି ୬, ଚତୁର୍ଥ ସର୍ଜିକାଲ ଷ୍ଟ୍ରାଇକ୍ ୨୦୧୩ ଜୁଲାଇ ୨୭,୨୮ ରେ, ପଞ୍ଚମ ସର୍ଜିକାଲ ଷ୍ଟ୍ରାଇକ୍ ୨୦୧୩ ଅଗଷ୍ଟ ୬ରେ ଏବଂ ଷଷ୍ଠ ସର୍ଜିକାଲ ଷ୍ଟ୍ରାଇକ୍ ୨୦୧୪ ଜାନୁଆରି ୧୪ରେ ହୋଇଥିଲା ବୋଲି ଦାବି କରିଥିଲେ।
ମୋଦୀ ସରକାର ପୂର୍ବରୁ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିଲା: ଜେନେରାଲ ହୁଦା
ଜୟପୁର : ଉପା ସରକାର ସମୟରେ ୬ ଥର ସର୍ଜିକାଲ ଷ୍ଟ୍ରାଇକ୍ ହୋଇଛି ବୋଲି କଂଗ୍ରେସ ଦାବି କରୁଥିବା ବେଳେ ଆଜି ଲେଫ୍ଟନାଣ୍ଟ ଜେନେରାଲ ଡିଏସ୍ ହୁଦା ଆଜି ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ମୋଦୀ ସରକାର ପୂର୍ବରୁ ମଧ୍ୟ ସେନା ଦ୍ବାରା ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିଲା। ଉପା ସରକାର ସମୟରେ ମଧ୍ୟ ଭାରତୀୟ ସେନା ପାକିସ୍ତାନ ସୀମାରେ ଆତଙ୍କବାଦୀଙ୍କ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ ବୋଲି ହୁଦା କହିଛନ୍ତି। ୨୦୧୬ରେ ଉରି ଆକ୍ରମଣ ପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଜେନେରାଲ ହୁଦା। ତେବେ ହୁଦାଙ୍କର ଏହି ଦାବି କଂଗ୍ରେସକୁ ଏକ ପ୍ରକାର ସମର୍ଥନ ସ୍ବରୂପ ହୋଇଛି।