ଭୋପାଳ: ବାଂଲାଦେଶରେ ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପରେ ସମଗ୍ର ଦେଶରେ ହିଂସା ଆରମ୍ଭ ହୋଇଥିଲା। ଯାହା ସମୟ ସହିତ କ୍ରମାଗତ ଭାବେ ବୃଦ୍ଧି ପାଇଥିଲା। ତେବେ ଦେଶର ପରିସ୍ଥିତିକୁ ଅନୁଧ୍ୟାନ କରି ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ଶେଖ ହସିନା ବାଂଲାଦେଶ ଛାଡିବା ଦିନଠାରୁ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇଥିଲା। ହିନ୍ଦୁମାନଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା। ମନ୍ଦିରଗୁଡିକ ଭାଙ୍ଗି ଦିଆଯାଇଥିଲା।

Advertisment

ସୋସିଆଲ ମିଡିଆରେ ବାଂଲାଦେଶ ହିଂସାର ଅନେକ ଭିଡିଓ ସାମ୍ନାକୁ ଆସୁଛି। ସେପଟେ ମଧ୍ୟପ୍ରଦେଶର ଇନ୍ଦୋରରୁ ବିଜେପି ନେତା ସଞ୍ଜୟ ଶୁକ୍ଲା ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ବାଂଲାଦେଶ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଦାବି କରିଛନ୍ତି।

ବିଜେପି ନେତା ସଞ୍ଜୟ ଶୁକ୍ଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ ବାଂଲାଦେଶର ହିନ୍ଦୁମାନଙ୍କୁ ବଞ୍ଚାଇବା ପାଇଁ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯେପରି ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା, ସେହିଭଳି ବାଂଲାଦେଶରେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ୍ କରାଯିବା ଉଚିତ। ଯାହା ଦ୍ବାରା ସେଠାରେ ଥିବା ହିନ୍ଦୁମାନଙ୍କୁ ଉଦ୍ଧାର କରାଯାଇପାରିବ। ସଞ୍ଜୟ ଶୁକ୍ଲା ପୂର୍ବରୁ କଂଗ୍ରେସ ବିଧାୟକ ଥିଲେ ଏବଂ ସେ କୈଳାସ ବିଜୟଭର୍ଗିୟଙ୍କ ବିରୋଧରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।

ସୂଚନାଯୋଗ୍ୟ, ବାଂଲାଦେଶର ମୋଟ ଜନସଂଖ୍ୟା ୧୭୦ ନିୟୁତ। ସେଥି ମଧ୍ୟରୁ ପ୍ରାୟ ୮ ପ୍ରତିଶତ ହିନ୍ଦୁ ଅଟନ୍ତି। ବାଂଲାଦେଶର ହିନ୍ଦୁ ସମ୍ପ୍ରଦାୟ ଶେଖ ହସିନାଙ୍କ ଆୱାମୀ ଲିଗ୍ ପାର୍ଟିକୁ ସମର୍ଥନ କରିଥାନ୍ତି ବୋଲି କୁହାଯାଉଛି। ହସିନା ସରକାରଙ୍କୁ କ୍ଷମତା ଦଖଲ କରିବା ଦିନଠାରୁ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଥିଲା।