ପାକିସ୍ତାନକୁ ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ: ଛାନିଆରେ ଭାରତକୁ ଚେତାବନୀ

ଆଲୋଚନା ଜରୁରୀ: ମେହବୁବା

ଇସ୍‌ଲାମାବାଦ: ସୁଞ୍ଜଓ୍ଵାନ୍‌ ସେନା ଶିବିରରେ ଅତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍‌ କରିବା ଆଶଙ୍କା କରି ପାକିସ୍ତାନ ଭୟଭୀତ ହୋଇପଡ଼ିଛି । ତେଣୁ ଆଗୁଆ ଭାରତ ସରକାରଙ୍କୁ ଚେତାବନୀ ଦେଇ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ବିନା କୌଣସି ତଦନ୍ତରେ ଭାରତ ପାକିସ୍ତାନକୁ ଏହି ଆକ୍ରମଣ ପାଇଁ ଦୋଷୀ କରିପାରିବ ନାହିଁ ଏବଂ ସର୍ଜିକାଲ ଷ୍ଟ୍ରାଇକ୍‌ ପରି ସୀମାପାର ଆକ୍ରମଣ କଲେ ପରିଣାମ ଭୟଙ୍କର ହେବ। ୨୦୧୬ରେ ଉରିରେ ସେନା ଶିବିର ଉପରେ ଆକ୍ରମଣ ପରେ ଭାରତୀୟ ସେନା ପାକ୍‌ ଅଧିକୃତ କଶ୍ମୀରରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ପାକିସ୍ତାନୀ ରେଞ୍ଜର୍ସଙ୍କ ନିଦ ହଜାଇ ଦେଇଥିଲା। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଦ୍ୱାରା ହୋଇଥିବା ଆକ୍ରମଣରେ ୧୮ ଜଣ ଯବାନ୍‌ ସହିଦ୍‌ ହେବା ପରେ ଭାରତ ପ୍ରତିଶୋଧ ନେବାକୁ ଯାଇ ସର୍ଜିକାଲ ଷ୍ଟ୍ରାଇକ୍‌ କରି ପ୍ରାୟ ୫୦ ଆତଙ୍କବାଦୀଙ୍କୁ ନିପାତ କରିଥିଲା।
ଏବେ ସୁଞ୍ଜଓ୍ଵାନ୍‌ ସେନା ଶିବିର ଉପରେ ହୋଇଥିବା ଆକ୍ରମଣରେ ୫ଜଣ ଯବାନ୍‌ ସହିଦ ହେବା

ସହ ଜଣେ ଯବାନଙ୍କ ପିତା ମଧ୍ୟ ପ୍ରାଣ ହରାଇଛନ୍ତି। ଏଥି ସହିତ ୧୩ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଆକ୍ରମଣ ପରେ ଆତଙ୍କବାଦୀଙ୍କ ପାଖରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରଠୁ ନେଇ ସେମମାନଙ୍କ ପରିଚୟ ପତ୍ର ଯାଏଁ ସବୁକିଛି ପାକିସ୍ତାନର ବୋଲି ଜଣାପଡ଼ିଛି। ଏହି ଆକ୍ରମଣ ପାଇଁ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ଏବଂ ଲସ୍କର ନିଜକୁ ମିଳିତ ଭାବେ ଦାୟୀ ମଧ୍ୟ କରିଛି। ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ହେଇଥିବା ବେଳେ ଜିହାଦ ନାମରେ ସାରା ବିଶ୍ୱରେ ଆତଙ୍କ ଖେଳାଇବାକୁ ପାକିସ୍ତାନ ପ୍ରୟାସ ଜାରି ରଖିଥିବା କଥା କାହାକୁ ଅଛପା ନାହିଁ। ଏଭଳି ସ୍ଥିତିରେ ଭାରତର ସୀମାପାର କାର୍ଯ୍ୟାନୁଷ୍ଠାନ ଆଶଙ୍କା କରି ପାକିସ୍ତାନ ବୟାନବାଜୀ ଆରମ୍ଭ କରିଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ପାକ୍‌ସେନାକୁ ଭାରତୀୟ ସେନା କଡ଼ା ଜବାବ ଦେଉଛି। ପାକିସ୍ତାନ ପଟେ ବିପୁଳ କ୍ଷୟକ୍ଷତି ହେଉଥିଲେ ମଧ୍ୟ କଶ୍ମୀରରେ ଶାନ୍ତି ନଷ୍ଟ କରବାକୁ ଆତଙ୍କବାଦୀଙ୍କୁ ପାକ୍‌ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସ୍‌୍‌ଆଇ ସବୁ ସହାୟତା ଯୋଗାଇ ଦେଉଛନ୍ତି।

ନୂଆଦିଲ୍ଲୀ, : କଶ୍ମୀରରେ ଶାନ୍ତି ପାଇଁ ପାକିସ୍ତାନ ସହ କଥାବର୍ତ୍ତା ଜରୁରୀ ବୋଲି ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌୍‌ତି କହିଛନ୍ତି। ପାକିସ୍ତାନ ସହିତ କଥାବର୍ତ୍ତା ନକରି କଶ୍ମୀରରେ ଲାଗି ରହିଥିବା ଅଶାନ୍ତିକର ପରିସ୍ଥିତିରେ ପରିବର୍ତ୍ତନ ଆଣିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଜମ୍ମୁ କଶ୍ମୀରରେ ଲଗାତାର ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଯବାନ ଓ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟୁଛି । ଏଭଳି ସ୍ଥିତିରେ ଶାନ୍ତି ପାଇଁ ଆଲୋଚନା ହିଁ ଶ୍ରେଷ୍ଠ ପନ୍ଥା ହେବ ବୋଲି ମେହବୁବା କହିଛନ୍ତି। ଆଜି ବିଧାନସଭାରେ ମେହବୁବା କହିଥିଲେ ଯେ କେତେକ ଗଣମାଧ୍ୟମ ସଂସ୍ଥା ଏଭଳି ଏକ ବାତାବରଣ ସୃଷ୍ଟି କରିଛନ୍ତି, ଯେଉଁଠି ଆମେ କଥାବର୍ତ୍ତା ସପକ୍ଷରେ ସ୍ୱର ଉଠାଇଲେ ଆମକୁ ରାଷ୍ଟ୍ରବିରୋଧୀ ଭାବେ ଚିତ୍ରଣ କରାଯାଉଛି।

କଶ୍ମୀରରେ ଶାନ୍ତି ସ୍ଥାପନ ପାଇଁ ଗଣମାଧ୍ୟମ ସହଯୋଗ କରିବାକୁ ମେହବୁବା ନିବେଦନ କରିଛନ୍ତି। ପାକିସ୍ତାନ ସହ ଆମେ ଅନେକ ଯୁଦ୍ଧ ଲଢ଼ି ବିଜୟୀ ହୋଇଛୁ, କିନ୍ତୁ ଏ ପର୍ଯ୍ୟନ୍ତ କଶ୍ମୀର ସମସ୍ୟାର ସମାଧାନ ବାହାରି ନାହିଁ। କଶ୍ମୀରରେ ନରସଂହାର ଆଉ କେତେଦିନ ଚାଲିବ ବୋଲି ମେହବୁବା ଆଜି ବିଧାନସଭା ଅଧିବେଶନର ଶେଷ ଦିବସରେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ନ୍ୟାସନାଲ କନ୍‌ଫରେନ୍‌୍‌ସ ନେତା ଫାରୁକ୍‌ ଅବଦୁଲ୍ଲା କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦକୁ ଯେତିକି ପ୍ରୋତ୍ସାହନ ଦେବ ସେଠାରେ ସେତିକି ସମସ୍ୟା ବଢ଼ିବ। ଏଭଳି ସ୍ଥିତି ଜାରି ରହିଲେ ଭାରତ ସରକାର ମଧ୍ୟ ଯୁଦ୍ଧ ପାଇଁ ଚିନ୍ତା କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର