ସୁରିନାମର ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସର ମୁଖ୍ୟଅତିଥି

ନୂଆଦିଲ୍ଲୀ : ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସାଣ୍ଟୋଖି ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ।  ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ ହେବା ପରେ ଭାରତ ସରକାର ସାଣ୍ଟୋଖିଙ୍କୁ ଆମନ୍ତ୍ରଣ କରିଥିଲେ । ଆମନ୍ତ୍ରଣ ରକ୍ଷା କରିବାକୁ ସେ ରାଜି ହୋଇଛନ୍ତି ।

ଗତ ସପ୍ତାହରେ ଅନୁଷ୍ଠିତ ପ୍ରବାସୀ ଭାରତୀୟ ଦିବସରେ ସେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅଭିଭାଷଣ ରଖିଥିଲେ । ଗତ ବର୍ଷ ଜୁଲାଇ ମାସରେ ସାଣ୍ଟୋଖି ସୁରିନାମର ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିଥିଲେ ।

ଗତ ୫ ତାରିଖରେ ବୋରିସ ଜନସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଭାରତ ଆସିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ । ବ୍ରିଟେନରେ କୋରନା ଭୁତାଣୁ ମାଡ଼ିଚାଲିଥିବାରୁ ଜନସନ ନିଜର ଗସ୍ତ ବାତିଲ କରିଥିଲେ ।

ବ୍ରିଟେନରେ ଏବେ କରୋନା ଭୁତାଣୁର ନୂଆ ପ୍ରକାର ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ସେଠାରେ ପୁଣି ଥରେ ଲକଡାଉନ ଘୋଷଣା କରାଯାଇଛି । ଏ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯିବା ସମ୍ଭବ ନୁହେଁ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ କୁହାଯାଇଥିଲା ।

ସମ୍ବନ୍ଧିତ ଖବର