ବେଙ୍ଗାଲୁର: ଦେଶରେ ଲକ୍ଡାଉନ୍ ଚାଲିଥିବା ବେଳେ ଏକ ନିଆର ଘଟଣା ଦେଖିବାକୁ ମିଳିଛି। ସୁରଟରେ ଆଇଭିଏଫ୍ ଜରିଆରେ ଜନ୍ମଲାଭ କରିଥିବା ଏକ ଶିଶୁକୁ ତା ବାପାମାଆଙ୍କ ପାଖକୁ ଏୟାର୍ ଆମ୍ବୁଲାନ୍ସ ଜରିଆରେ ବେଙ୍ଗାଲୁର ପଠାଇ ଦିଅାଯାଇଛି।
ସରୋଗେଟ୍ ପ୍ରକ୍ରିୟାରେ ଏହି ଶିଶୁଟି ଜନ୍ମ ହେବା ପରେ କିପରି ଶିଶୁଟିକୁ ତା’ ବାପାମାଆଙ୍କୁ ଦିଆଯିବ ବୋଲି ଚିନ୍ତାର କାରଣ ପାଲଟିଥିବା ବେଳେ ଏହି ସ୍ବତନ୍ତ୍ର ଆମ୍ବୁଲାନ୍ସଟି ଶିଶୁଟିକୁ ନେଇ ତା ବାପାମାଆଙ୍କ ପାଖରେ ପହଞ୍ଚାଇଛି।
ଶିଶୁଟିର ପ୍ରସୂତୀ କରାଇଥିବା ଡକ୍ଟର ନଦକରୀଙ୍କ କହିବାନୁଯାୟୀ, ‘ବର୍ଷେ ତଳେ ଶିଶୁଟିର ମାଆ ଆସି ମୋତେ ଦେଖା କରିଥିଲେ। ତାଙ୍କ ଗର୍ଭାଶୟରେ ଅସୁବିଧା ଥିବା ହେତୁ ସେ ମୋତେ ଦେଖା କରି ଆଇଭିଏଫ୍ ଜରିଆରେ ପିଲା କରିବାକୁ କହିଥିଲେ।’
ଶିଶୁଟି ମାର୍ଚ ୨୯ ତାରିଖରେ ଜନ୍ମଲାଭ କରିବା ପରେ ହସ୍ପିଟାଲ୍ର ଡାକ୍ତରମାନେ ତାଙ୍କ ମାଆକୁ ଭିଡିଓ କଲ୍ ଜରିଆରେ ଯୋଗାଯୋଗ କରିଥିଲେ। ଶିଶୁଟି ହସ୍ପିଟାଲ୍ରେ ୧୭ ଦିନ ରହିବା ପରେ ଶେଷର ଏୟାର୍ ଆମ୍ବୁଲାନ୍ସ ଜରିଆରେ ତା’ ବାପାମାଆଙ୍କୁ ହସ୍ତାନ୍ତର କରାଯାଇଛି।
ସୁରଟରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଶିଶୁଟିକୁ ନେବା ପାଇଁ ଦିଲ୍ଲୀରୁ ଏହି ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗାଡ଼ କରାଯାଇଥିଲା। ସୁରଟରୁ ବେଙ୍ଗାଲୁରୁ ଯିବା ପାଇଁ ମାତ୍ର ୩ ଘଣ୍ଟା ଲାଗିଥିଲା। ଶିଶୁଟିର ୪୨ ବର୍ଷିଅ ବାପା ବେଙ୍ଗାଲୁରୁ ବିମାନବନ୍ଦରରୁ ନିଜ ପିଲାକୁ ଗ୍ରହଣ କରିବା ପରେ ତାଙ୍କ ଖୁସିର ସୀମା ନାହିଁ।