ପାକିସ୍ତାନକୁ ପାଣି ବନ୍ଦ ପାଇଁ ସର୍ଭେ ଆରମ୍ଭ

‘ସିନ୍ଧୁ ଜଳ ଚୁକ୍ତି ମାନିବାକୁ ବାଧ୍ୟ ନୁହଁ’

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ସିନ୍ଧୁ ଜଳଚୁକ୍ତି ନେଇ ଆଜି ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଆତଙ୍କବାଦ ବନ୍ଦ ନହେଲେ ପାକିସ୍ତାନକୁ ଜଳଯୋଗାଣ ବନ୍ଦ ହେବ ଏବଂ ପାକିସ୍ତାନ ଏହାର ପରିଣତି ଭୋଗିବ ବୋଲି ଚେତାବନୀ ଦେବା ସହ ଗଡ଼କରୀ କହିଛନ୍ତି, ଉକ୍ତ ଜଳକୁ ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନକୁ ଯୋଗାଇବାକୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇସାରିଲାଣି। ଗଡ଼କରୀ କହିଛନ୍ତି, ଭାରତ ପାକିସ୍ତାନ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ଏବଂ ଶାନ୍ତିପୂର୍ଣ ସମ୍ପର୍କର ଆଧାରରେ ସିନ୍ଧୁ ଜଳ ଚୁକ୍ତି ହୋଇଥିଲା। ଏହି ଚୁକ୍ତି ଦ୍ୱାରା ତିନିଟି ନଦୀର ଜଳ ବାଣ୍ଟିବାକୁ ଦୁଇ ଦେଶ ରାଜି ହୋଇଥିଲେ। କିନ୍ତୁ ଏବେ ଆଉ ସେ ବନ୍ଧୁତା ନାହିଁ। ଦୁଇ ଦେଶ ମଧ୍ୟରେ ଥିବା ଶାନ୍ତିମୈତ୍ରୀର ସମ୍ପର୍କ ପୂରା ଉଭେଇଯାଇଛି। ଏଭଳି ସ୍ଥିତରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ମାନିବାକୁ ବାଧ୍ୟ ନୁହଁ ବୋଲି ଗଡ଼କରୀ ସ୍ପଷ୍ଟ କରିଛନ୍ତି। ଗଡ଼କରୀ ସୂଚନା ଦେଇଛନ୍ତି, ପୁଲୱାମା ଆକ୍ରମଣ ପରେ କେନ୍ଦ୍ର ସରକାର ପାକିସ୍ତାନକୁ ଜଳଯୋଗାଣ ବନ୍ଦ କରିବା ପାଇଁ ଯୋଜନା ଆରମ୍ଭ କରିଥିଲା। ପାକିସ୍ତାନକୁ ପ୍ରବାହିତ ତିନିଟି ନଦୀର ଜଳକୁ ଯମୁନା ନଦୀକୁ ଯୋଗାଣ କରିବା ପାଇଁ ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି। ପାକିସ୍ତାନକୁ ଜଳ ବନ୍ଦ କରି ଏହାକୁ ଜମ୍ମୁ କଶ୍ମୀର ଏବଂ ପଞ୍ଜାବ ଜନସାଧାରଣଙ୍କୁ ଦିଆଯିବ ବୋଲି ଗଡ଼କରୀ କହିଛନ୍ତି। ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥିରେ ୧୯୬୦, ସେପ୍ଟେମ୍ବର ୧୯ରେ ଭାରତ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଉକ୍ତ ଚୁକ୍ତି ଅନୁଯାୟୀ, ଭାରତ ବ୍ୟାସ, ରବି ଏବଂ ସତ୍‌ଲେଜ ନଦୀର ଜଳ ଉପରେ ନିୟନ୍ତ୍ରଣର ଅଧିକାର ପାଇଥିବା ବେଳେ ପାକିସ୍ତାନ ସିନ୍ଧୁ, ଚେନାବ ଏବଂ ଝେଲମ ନଦୀର ଜଳ ନିୟନ୍ତ୍ରଣର ଅଧିକାର ପାଇଥିଲା। ଏହି ଚୁକ୍ତି ଅନୁଯାୟୀ, ଭାରତ ବ୍ୟାସ ଏବଂ ସତ୍‌ଲେଜ ନଦୀର ଜଳକୁ ପାକିସ୍ତାନ ସହ ଭାଗ ବାଣ୍ଟିବାକୁ ରାଜି ହୋଇଥିଲା।

ସମ୍ବନ୍ଧିତ ଖବର