୨୦୨୨ ବେଳକୁ ପୃଥୁଳ ଶିଶୁଙ୍କ ସଂଖ୍ୟା ଅପପୁଷ୍ଟ ସଂଖ୍ୟାକୁ ଟପିଯିବ

ମୁମ୍ବାଇ: ଆଉ ପାଞ୍ଚ ବର୍ଷ ପରେ ପୃଥିବୀରେ ମେଦବହୁଳ ବା ପୃଥୁଳ ଶିଶୁଙ୍କ ସଂଖ୍ୟା ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କ ସଂଖ୍ୟାଠାରୁ ଯଥେଷ୍ଟ ବଢ଼ିଯାଇଥିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍‌ଲ୍ୟୁଏଚ୍‌ଓ) ଏବଂ ଲଣ୍ଡନ ଇମ୍ପେରିଆଲ କଲେଜ୍‌ ଦ୍ୱାରା ସ୍ୱାସ୍ଥ୍ୟଭିତ୍ତିକ ପତ୍ରିକା ‘ଦ ଲାନ୍ସେଟ୍‌’ରେ ପ୍ରକାଶିତ ରିପୋର୍ଟରୁ ଏଭଳି ଆକଳନ କରାଯାଇଛି। ଅପରପକ୍ଷେ, ଭାରତରେ ଅପପୁଷ୍ଟ ଶିଶୁଙ୍କ ସଂଖ୍ୟା ଯଥେଷ୍ଟ ବେଶୀ ରହିଥିବାରୁ ମେଦବହୁଳତା ସେତେଟା ଚିନ୍ତାଜନକ ନୁହେଁ ବୋଲି କୁହାଯାଇଛି।
ଏହି ରିପୋର୍ଟ ଅନୁଯାୟୀ, ୧୯୭୫ ମସିହା ବେଳକୁ ପୃଥିବୀରେ ଶିଶୁ ଏବଂ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ମେଦବହୁଳତା ହାର ମାତ୍ର ୧ ପ୍ରତିଶତରୁ କମ୍‌ ରହିଥିବା ବେଳେ ୨୦୧୬ ମସିହାକୁ ଏହା ବୃଦ୍ଧିପାଇ ବାଳିକାଙ୍କ କ୍ଷେତ୍ରରେ ୬ ପ୍ରତିଶତ ଏବଂ ବାଳକଙ୍କ କ୍ଷେତ୍ରରେ ୮ ପ୍ରତିଶତରେ ପହଞ୍ଚିଛି। ଏହି କ୍ରମରେ ୨୦୦୦ ମସିହା ପର ସ୍ଥିତି ଜାରି ରହିଲେ ୨୦୨୨ ବେଳକୁ ତାହା ଚିନ୍ତାର କାରଣ ହେବ ବୋଲି କୁହାଯାଇଛି। ତେବେ ଏହି ଶୈଶବ ମେଦବହୁଳତାର ବିଶ୍ୱ ସୂଚକାଙ୍କ ତାଲିକାରେ ଭାରତ ଏକମାତ୍ର ଦେଶ ଭାବେ ନିମ୍ନପୁଷ୍ଟ ସ୍ତରରେ ରହିଛି। ୨୦୧୬ ସୁଦ୍ଧା ବିଶ୍ୱର ୯୭ ନିୟୁତ କମ୍‌ ଓଜନ ବିଶିଷ୍ଟ ଶିଶୁ ଓ ପ୍ରାପ୍ତବୟସ୍କ କେବଳ ଭାରତରେ ହିଁ ରହିଥିବା ଜଣାଯାଇଛି। ଗତ ଚାରି ଦଶନ୍ଧି ଧରି ଭାରତରେ ସର୍ବାଧିକ ସଂଖ୍ୟକ ୧୯ ବର୍ଷରୁ କମ୍‌ ବୟସର ବିଶିଷ୍ଟ ବାଳକ ବାଳିକା ରହିଆସିଛନ୍ତି ଯେଉଁମାନଙ୍କର ଓଜନ ଧାର୍ଯ୍ୟ ପରିମାଣଠାରୁ ଯଥେଷ୍ଟ କମ୍‌।
ଅପରପକ୍ଷେ, ସମ୍ପ୍ରତି କିଛି ଭାରତୀୟ ସହରରେ ଦେଖାଦେଇଥିବା କ୍ରମବର୍ଦ୍ଧିଷ୍ଣୁ ମେଦବହୁଳତା ସ୍ତର ହିଁ ସାମଗ୍ରିକ ଅପପୁଷ୍ଟି ସଂଖ୍ୟାକୁ ଫିକା କରିଦେଇଛି। ୧୯୭୫ ମସିହା ତୁଳନାରେ ଭାରତୀୟ ବାଳକଙ୍କ ବିଏମ୍‌ଆଇ(ବଡି ମାସ୍‌ ଇଣ୍ଡେକ୍ସ)୧୫.୦୩ରୁ ବଢ଼ି ୨୦୧୬ରେ ତାହା ୧୬.୯୭ରେ ପହଞ୍ଚିଥିବା ବେଳେ ବାଳିଙ୍କ କ୍ଷେତ୍ରରେ ତାହା ୧୫.୭୪ରୁ ଆସି ୧୬.୯୪ ହୋଇଛି। ତେବେ ଅନ୍ୟ ପାଶ୍ଚାତ୍ୟ ଦେଶ ଭଳି ଭାରତର ଏହି ସ୍ଥିତି ସେତେ ଚିନ୍ତାଜନକ ନୁହେଁ ବୋଲି ଜଣେ ବରିଷ୍ଠ ଡାକ୍ତର କହିଛନ୍ତି। କାରଣ ଝାଡ଼ଖଣ୍ଡ, ବିହାର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ମେଦବହୁଳ ଶିଶୁଙ୍କ ସଂଖ୍ୟା ଅପପୁଷ୍ଟ ସଂଖ୍ୟାଠାରୁ କମ୍‌ ରହିଛି।

ସମ୍ବନ୍ଧିତ ଖବର