୩ୟ ଲହରରେ ମୃତ୍ୟୁବରଣ କରିଥିବା ୬୦% କରୋନା ଆକ୍ରାନ୍ତ ଟିକା ନେଇନଥିଲେ : ସର୍ଭେ

ନୂଆଦିଲ୍ଲୀ : କରୋନା ଓ ଟିକାକରଣ ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସୁଛି । ୩ୟ ଲହରରେ ଯେତେ ଲୋକ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ତାହାର ପ୍ରାୟ ୬୦ ପ୍ରତିଶତ ଲୋକ ଆଦୌ ଟିକା ନେଇନଥିଲେ ଅଥବା ଗୋଟିଏ ପାନ (ଡୋଜ) ଟିକା ନେଇଥିଲେ । ପୁଣି ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୭୦ ବର୍ଷରୁ ଅଧିକ କିମ୍ବା ସେମାନଙ୍କ ଆଗରୁ ଅନ୍ୟ ରୋଗ ଥିଲା ।

ମାକ୍ସ ହେଲଥକେୟାର ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା । ଏଥିରେ କୁହାଯାଇଛି ଯେ ତୃତୀୟ ଲହରରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ଠିକଭାବେ ଟିକା ନେଇନଥିଲେ ଅଥବା ଆଦୌ ଟିକା ନେଇନଥିଲେ । ପୁଣି ଏଥର ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକ ବା ଯେଉଁମାନଙ୍କର ମଧୁମେହ, କିଡନି, ହୃଦରୋଗ ପରି ରୋଗ ଥିବ ।

ମାକ୍ସ ପକ୍ଷରୁ କୁହାଯାଇଛି ଯେ ସେମାନଙ୍କ ହସପିଟାଲଗୁଡ଼ିରେ ଏପର୍ଯ୍ୟନ୍ତ ମୋଟ ୮୨ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ଓ ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ବା ୫୦ ଜଣ ଲୋକ ଠିକଭାବେ ଟିକା ନେଇନଥିଲେ ଅଥବା ଆଦୌ ଟିକା ନେଇନଥିଲେ ।

ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ପ୍ରଥମ ଲହରରେ ୬୪ ପ୍ରତିଶତ ରୋଗୀଙ୍କୁ ଅମ୍ଳଜାନ ଆବଶ୍ୟକ ହେଉଥିବାବେଳେ ୨ୟ ଲହରରେ ୭୪ ପ୍ରତିଶତ ଓ ଚଳିତ ୩ୟ ଲହରରେ ମାତ୍ର ୨୩.୪ ପ୍ରତିଶତ ଆକ୍ରାନ୍ତ ଅମ୍ଳଜାନ ଆବଶ୍ୟକ କରୁଛନ୍ତି ।

ସମ୍ବନ୍ଧିତ ଖବର