ନୂଆଦିଲ୍ଲୀ : ଆଣ୍ଡାମାନର ରହସ୍ୟମୟ ସେଣ୍ଟିନେଲ୍ ଦ୍ୱୀପରେ ପଡିରହିଥିବା ଆମେରିକୀୟ ଖ୍ରୀଷ୍ଟିଆନ ଧର୍ମପ୍ରଚାରକ ଜନ ଚାଉଙ୍କ ମୃତ ଦେହ ଉଦ୍ଧାର ପାଇଁ ଆଣ୍ଡାମାନ ପୁଲିସ ଉଦ୍ୟମ କରୁଛି । ଗତ ରବିବାରଦିନ କରାଯାଇଥିବା ଏପରି ଏକ ଉଦ୍ୟମ ବିଫଳ ହୋଇଥିଲା । କିନ୍ତୁ ଏପରି ଉଦ୍ୟମକୁ ବିଶ୍ୱରେ ଆଦିବାସୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଲଢୁଥିବା ସଂଗଠନ ସର୍ଭାଇଭାଲ ଇଣ୍ଟରନାସନାଲ ବିରୋଧ କରିଛି ।
ସଂଗଠନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଜନ ଚାଉଙ୍କ ମୃତଦେହକୁ ସେହି ଦ୍ୱୀପରେ ହିଁ ରହିବାକୁ ଦିଆଯାଉ, ଏହା ସହିତ ସେଣ୍ଟିନେଲି ଆଦିବାସୀମାନଙ୍କୁ ମଧ୍ୟ ଏକୁଟିଆ ରହିବାକୁ ଦିଆଯାଉ । କାରଣ ପୁଲିସ ପକ୍ଷରୁ ମୃତଦେହ ଉଦ୍ଧାର ପାଇଁ ଉଦ୍ୟମ କରାଗଲେ ତାହା ସେଣ୍ଟିନେଲି ଆଦିବାସୀ ଓ ପୁଲିସ ମଧ୍ୟରେ ସଂଘର୍ଷ ହେବ, ଯାହାକି ଉଭୟ ପକ୍ଷ ପାଇଁ ମାରାତ୍ମକ ହୋଇପାରେ । ଆହୁରି ମଧ୍ୟ ବାହାର ଲୋକଙ୍କ ସଂସ୍ପର୍ଶରେ ଆସିଲେ ଆଦିବାସୀମାନଙ୍କୁ ସଂକ୍ରମଣ ହୋଇପାରେ, ଯାହାକି ସେମାନଙ୍କ ସ୍ଥିତି ପ୍ରତି ବିପଦ ସୃଷ୍ଟି କରିବ ବୋଲି ସର୍ଭାଇଭାଲ ଇଣ୍ଟରନାସନାଲର ନିର୍ଦ୍ଦେଶକ ଷ୍ଟିଫେନ କରି କହିଛନ୍ତି ।
ଗତ ରବିବାର ଦିନ ଆଣ୍ଡାମାନ ପୁଲିସ ଚାଉଙ୍କ ମୃତଦେହ ଉଦ୍ଧାର କରିବାକୁ ଯାଇ ବିଫଳ ହୋଇ ଅଧାବାଟରୁ ଫେରିଆସିଥିଲେ । ସେଣ୍ଟିଲିଜ୍ ଆଦିବାସୀମାନେ ଧନୁ ତୀର ଧରି ସେମାନଙ୍କୁ ସ୍ୱାଗତ କରିବାରୁ ସେମାନେ ଭୟରେ ଫେରିଆସିଥିଲେ । ସେଣ୍ଟିନେଲି ଆଦିବାସୀମାନେ ବାହାର ଜଗତର ଲୋକମାନଙ୍କୁ ନିଜ ଦ୍ୱୀପରେ ପ୍ରବେଶ କରାଇଦିଅନ୍ତି ନାହିଁ । ହଜାର ହଜାର ବର୍ଷ ଧରି ସେମାନେ ବାହାର ଦୁନିଆ ସହ କୌଣସି ସଂପର୍କ ରଖିନାହାନ୍ତି ଓ ରଖିବାକୁ ଚାହାନ୍ତି ନାହିଁ ମଧ୍ୟ । ଭାରତ ସରକାର ମଧ୍ୟ ଏହି ଦ୍ୱୀପକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ।