ମକର ସଂକ୍ରାନ୍ତିରେ ବିଶ୍ବବ୍ୟାପୀ ସୂର୍ଯ୍ୟ ନମସ୍କାର ପ୍ରଦର୍ଶିତ ହେବ

ନୂଆଦିଲ୍ଲୀ: ଆୟୁଷ ମନ୍ତ୍ରଣାଳୟ ଆସନ୍ତା ୧୪ ତାରିଖ ମକର ସଂକ୍ରାନ୍ତି ଦିନ ବିଶ୍ୱବ୍ୟାପୀ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ ଆୟୋଜନ କରୁଛି । ଏଥିରେ ୭୫ଲକ୍ଷ ଲୋକ ଯୋଗ ଦେବେ ।

ଏହି ଦିନ ସୂର୍ଯ୍ୟଙ୍କ ଉତ୍ତରାୟଣ ହେଉଛନ୍ତି। ଉତ୍ତମ ସ୍ୱାସ୍ଥ୍ୟ, ଧନ ଓ ସୁଖମୟ ଜୀବନ ପାଇଁ ପ୍ରକୃତି ମାତାଙ୍କୁ ଏହିଦିନ ଧନ୍ୟବାଦ ଅର୍ପଣ କରାଯାଇଥାଏ । ପ୍ରକୃତିର ସମସ୍ତ ଜୀବନ୍ତ ପଦାର୍ଥ ଏବଂ ପ୍ରାଣୀଜଗତ ଉପରେ ସୂର୍ଯ୍ୟଙ୍କର କିରଣ ପଡି ସେମାନଙ୍କୁ ପ୍ରାଣବନ୍ତ କରୁଥିବାରୁ ସୂର୍ଯ୍ୟ ନମସ୍କାର ମାଧ୍ୟମରେ ସୂର୍ଯ୍ୟଙ୍କୁ କୃତଜ୍ଞତା ପ୍ରକାଶ କରାଯାଏ ।  ବୈଜ୍ଞାନିକ ଦୃଷ୍ଟିକୋଣରୁ ସୂର୍ଯ୍ୟ ନମସ୍କାର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଗତ ମହାମାରୀ ସମୟରେ ଏହାର ଗୁରୁତ୍ୱ ଉପଲବ୍‌‌ଧି କରାଯାଇଥିଲା । ଶରୀରରେ ସୂର୍ଯ୍ୟକିରଣ ପଡିଲେ ଭିଟାମିନ୍ ଡି’ ସୃଷ୍ଟି ହୋଇଥାଏ । ବିଶ୍ୱବ୍ୟାପୀ ସମସ୍ତ ଚିକିତ୍ସା ଶାସ୍ତ୍ର ଓ ପଦ୍ଧତି ଏହାକୁ ସ୍ୱୀକାର କରିଛନ୍ତି ।

ସାମୂହିକ ଭାବରେ ସୂର୍ଯ୍ୟ ନମସ୍କାର ଦ୍ୱାରା ଏହି ବାର୍ତ୍ତା ବିଶ୍ୱକୁ ଦିଆଯାଉଛି ଯେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଘଟୁଛି । ଆଜିର ବିଶ୍ୱ ତାପମାତ୍ରା ବୃଦ୍ଧି ଦୃଷ୍ଟିରୁ ଦୈନନ୍ଦିନ ଜୀବନରେ ସୌରଶକ୍ତି ବ୍ୟବହାର କରି ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଛାଡିବା ପ୍ରକ୍ରିୟା ହ୍ରାସ କରାଯିବା ଉଚିତ । ଅଙ୍ଗାରକାମ୍ଳ ପୃଥିବୀ ପ୍ରତି ବିପଦ ସୃଷ୍ଟି କରିଛି ।

ମକର ସଂକ୍ରାନ୍ତି ଦିନଟିର ଗୁରୁତ୍ୱ ଆମର ସାଂସ୍କୃତିକ, ପରମ୍ପରା ଏବଂ ଅଧ୍ୟାତ୍ମିକ ଜୀବନରେ ରହିଛି । ସୂର୍ଯ୍ୟ ନମସ୍କାରରେ ୮ଟି ଆସନକୁ ୧୨ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ କରାଯାଇଥାଏ । ଏହାଦ୍ୱାରା ଶରୀର ଓ ମନ ମଧ୍ୟରେ ସମନ୍ୱୟ ସ୍ଥାପନ ହୋଇଥାଏ । ଏହାକୁ ପ୍ରତ୍ୟୁଷରୁ ଅଭ୍ୟାସ କରାଯିବା ଉଚିତ।

ସମ୍ବନ୍ଧିତ ଖବର