ଦିଲ୍ଲୀରେ ରାଜ୍ୟ ଖାଦ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗଦେଲେ ସୂର୍ଯ୍ୟ ନାରାୟଣ ପାତ୍ର

ନୂଆଦିଲ୍ଲୀ : ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଲାସ ପାଶଓ୍ଵାନଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଖାଦ୍ୟମନ୍ତ୍ରୀଙ୍କ ଚତୁର୍ଥ ଜାତୀୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇଥିଲେ। ୨୦୧୧ ଜନଗଣନା ମୁତାବକ,ରାଜ୍ୟକୁ କେନ୍ଦ୍ର ପକ୍ଷରୁ ଚାଉଳ ଯୋଗାଇ ଦିଆଯାଇଥାଏ। ବିଗତ ୭ ବର୍ଷ ମଧ୍ୟରେ ରାଜ୍ୟରେ ୮ ପ୍ରତିଶତ ଜନସଂଖ୍ୟା ବୃଦ୍ଧି ପାଇଛି। ଏହି ଅତିରିକ୍ତ ୮ ପ୍ରତିଶତ ଅର୍ଥାତ୍‌ ୩୨ ଲକ୍ଷ ଲୋକଙ୍କ ପାଇଁ ରାଜ୍ୟ ସରକାର ଚାଉଳ ଯୋଗାଇବା ସମ୍ଭବପର ହୋଇପାରୁନଥିବାରୁ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ମନ୍ତ୍ରୀ ପାତ୍ର କହିଥିଲେ।

କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ ରାଜ୍ୟର ପ୍ରତି ଗରିବ ଲୋକଙ୍କୁ ମାସିକ ୧୦ କିଲୋ ଚାଉଳ ମିଳିବା କଥା। କିନ୍ତୁ କେନ୍ଦ୍ର ସରକାର ଏହି ଯୋଜନାରେ ବିଗତ ୪ ବର୍ଷ ହେବ ଚାଉଳ ଦେଇନଥିବାରୁ ମନ୍ତ୍ରୀ ପାତ୍ର କ୍ଷୋଭ ପ୍ରକାଶ କରିଥିଲେ। ଓଡ଼ିଶାରେ କେତେ ଠକ କାର୍ଡଧାରୀ ଅଛନ୍ତି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ, ଓଡ଼ିଶାବାସୀ ଠକ ନୁହନ୍ତି। ଏଯାବତ୍‌ ରାଜ୍ୟର ୯୭ ପ୍ରତିଶତ ହିତାଧୀକାରୀଙ୍କୁ ଆଧାରକାର୍ଡ ସହ ଲିଙ୍କ୍‌ କରାଯାଇସାରିଥିବା ବେଳେ ସେପ୍ଟେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର