ଚଣ୍ଡୀଗଡ଼ : କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯେୱାଲା ବିଜେପି ଏବଂ ଏହାର ସମର୍ଥକମାନଙ୍କ ବିରୋଧରେ ଏକ ଟିପ୍ପଣୀ ଦେଇ ବଡ଼ ବିବାଦ ସୃଷ୍ଟି କରିଛନ୍ତି। ସୂର୍ଯେୱାଲା କହିଛନ୍ତି, ବିଜେପି ଏବଂ ଜେଜେପି (ଜନନାୟକ ଜନତା ପାର୍ଟି)ର ଲୋକମାନେ ଏବଂ ଉକ୍ତ ଦଳକୁ ଭୋଟ୍ ଦେଉଥିବା ଓ ସମର୍ଥନ କରୁଥିବା ଲୋକ ମଧ୍ୟ ରାକ୍ଷସ। ଆଜି ମହାଭାରତର ମାଟିରୁ ମୁଁ ସେମାନଙ୍କୁ ଅଭିଶାପ ଦେଉଛି। ତେବେ ସୂର୍ଯେୱାଲାଙ୍କର ଏହି ଟିପ୍ପଣୀ ପାଇଁ ବିଜେପି ନେତାମାନେ ତାଙ୍କୁ ପାଲଟା ଆକ୍ରମଣ କରିଛନ୍ତି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ବାରମ୍ବାର ଯୁବରାଜଙ୍କୁ ଲଞ୍ଚ୍ କରିବାରେ ବିଫଳ ହୋଇଥିବା କଂଗ୍ରେସ ଏବେ ଲୋକଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସୂର୍ଯେୱାଲାଙ୍କ ଟିପ୍ପଣୀ ପାଇଁ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛନ୍ତି। ଚୌହାନ କହିଛନ୍ତି, ସୋନିଆ ଏବଂ ରାହୁଲ କ’ଣ ବିଶ୍ବାସ କରୁଛନ୍ତି।
ସେମାନେ କ’ଣ ଜନସାଧାରଣଙ୍କୁ ରାକ୍ଷସ ବିବେଚନା କରୁଛନ୍ତି। ଚୌହାନ କହିଛନ୍ତି, ଏହା କ’ଣ ଆପଣଙ୍କ ମୋହବ୍ବତ କୀ ଦୁକାନ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର କହିଛନ୍ତି, ତାଙ୍କ ସରକାର ଏହି ଭାଷଣକୁ ଭଲଭାବେ ତର୍ଜମା କରିବେ। କେବଳ ରାକ୍ଷସ ପ୍ରବୃତ୍ତି ଥିବା ପରିବାରରେ ଜନ୍ମ ହୋଇଥିବା ଜଣେ ବ୍ୟକ୍ତି ହିଁ ଏଭଳି ଭାଷା ବ୍ୟବହାର କରିପାରିବେ। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ବାରମ୍ବାର ନିର୍ବାଚନ ହାରିବା ଦ୍ବାରା କଂଗ୍ରେସ ଅପ୍ରାସଙ୍ଗିକ ହୋଇଯାଇଛି ଏବଂ ଏଭଳି ଦାୟିତ୍ବହୀନ ଟିପ୍ପଣୀ ସୂଚାଉଛି ଯେ ସେମାନେ ସ୍ଥାୟୀ ଭାବେ ବିରୋଧୀ ଦଳରେ ରହିବାପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଟିପ୍ପଣୀକୁ ନେଇ ବିବାଦ ହେବାପରେ ସୂର୍ଯେୱାଲା ସ୍ପଷ୍ଟୀକରଣ ଦେଇଛନ୍ତି। ସୂର୍ଯେୱାଲା କହିଛନ୍ତି, ସେ ଯାହା କହିଛନ୍ତି, ତାହା କେବଳ କେନ୍ଦ୍ର ସରକାରଙ୍କ ବିଫଳତା। ସମାଜକୁ ଘୃଣାର ନିଆଁକୁ ଠେଲି ଦେଇଥିବା ଏବଂ ଯୁବବର୍ଗଙ୍କ ସ୍ବପ୍ନକୁ ହତ୍ୟା କରିଥିବା ଲୋକ ରାକ୍ଷସଠାରୁ କ’ଣ କମ୍ କି। ସୂର୍ଯେୱାଲା କହିଛନ୍ତି, ଏହି ସରକାର ଲଗାତାର ଭାବେ ନିଜର ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରୁଛି।