ଧର୍ମ ନାମରେ ଦମ୍ପତିଙ୍କୁ ପାସ୍‌ପୋର୍ଟ ଅଧିକାରୀଙ୍କ ଅପମାନ

ସୁଷମାଙ୍କ ତତ୍କାଳ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଲକ୍ଷ୍ନୌରେ ଜଣେ ପାସପୋର୍ଟ ଅଧିକାରୀ ଅନ୍ୟ ଧର୍ମରେ ବିବାହ କରିଥିବା ଦମ୍ପତିଙ୍କୁ ଅପମାନିତ କରିବା ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି। ପାସ୍‌ପୋର୍ଟ ନବୀକରଣ ପାଇଁ ଯାଇଥିବା ଜଣେ ହିନ୍ଦୁ ମହିଳା ଜଣେ ମୁସଲିମ୍‌ ଯୁବକଙ୍କୁ ବିବାହ କରିଥିବାରୁ ତାଙ୍କୁ ଜଣେ ପାସପୋର୍ଟ ଅଧିକାରୀ ସର୍ବସମ୍ମୁଖରେ ଭର୍ତ୍ସନା କରିଥିଲେ। ମୁସଲିମ୍‌ଙ୍କୁ ବିବାହ କରିଥିବାରୁ ତାଙ୍କ ପାସ୍‌ପୋର୍ଟ ନବୀକରଣ ହୋଇପାରିବନି ବୋଲି ରୋକ୍‌ଠୋକ୍‌ ମନା କରିଦେଇଥିଲେ ପାସ୍‌ପୋର୍ଟ ଅଧିକାରୀ। ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଳେ। ମହିଳା ଜଣଙ୍କ ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ଵିଟ୍‌ ମାଧ୍ୟମରେ ଜଣାଇବାପରେ ସୁଷମା ଉକ୍ତ ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି। ମହିଳାଙ୍କ ପାସପୋର୍ଟ ନବୀକରଣ ହୋଇସାରିଛି ଏବଂ ଏ ସଂକ୍ରାନ୍ତରେ ମଧ୍ୟ ଲକ୍ଷ୍ନୌ ପାସପୋର୍ଟ ଅଫିସରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ରିପୋର୍ଟ ମାଗିଛନ୍ତି। ଅନ୍ୟପକ୍ଷରେ ପାସପୋର୍ଟ ଅଧିକାରୀଙ୍କ ଇତି ମଧ୍ୟରେ ବଦଳି ହୋଇଥିବାବେଳେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରାଯାଇଛି।

ଉଲ୍ଲେଖଯୋଗ୍ୟ ଲକ୍ଷ୍ନୌର ତାନ୍‌ଭି ସେଠ୍‌ ନାମକ ଜଣେ ମହିଳା, ଆନସ ସିଦ୍ଦିକି ନାମକ ଜଣେ ମୁସଲିମ୍‌ ଯୁବକଙ୍କୁ ବିବାହ କରିଛନ୍ତି। ତେବେ ଗତକାଲି ସେ ସ୍ୱାମୀଙ୍କ ସହ ଲକ୍ଷ୍ନୌ ରତନ ଛକ ସ୍ଥିତ ପାସପୋର୍ଟ ସେବା କେନ୍ଦ୍ରକୁ ପାସପୋର୍ଟ ନବୀକରଣ ପାଇଁ ଯାଇଥିବାବେଳେ ସେଠାରେ ବିକାଶ ମିଶ୍ର ନାମକ ଜଣେ ଅଧିକାରୀ ତାଙ୍କ ଫାଇଲ୍‌ରେ ସମସ୍ୟା ଥିବା କହି ଏଭଳି କାଣ୍ଡ ଘଟାଇଥିଲେ।

ସମ୍ବନ୍ଧିତ ଖବର