ଭାରତୀୟ ଭିସା ପାଇଁ ନିବେଦନ କଲେ ପାକିସ୍ତାନର ଅସୁସ୍ଥ ଶିଶୁର ମାଆ: ପୁଣି ଥରେ ନିଜର ବଡ଼ପଣ ଦେଖାଇଲେ ସୁଷମା

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ହିଂସା ଲାଗି ରହଥିଲେ ବି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ନିଜର ମାନବିକତାକୁ କେବେ ଭୁଲି ନାହାନ୍ତି। ସେ ପୁଣି ଥରେ ଜଣେ ପାକିସ୍ତାନୀକୁ ଭାରତ ଆସିବା ପାଇଁ ଭିସା ଦେବାର ଘୋଷଣା କରି ନିଜର ବଡ଼ପଣ ଦେଖାଇଛନ୍ତି।

ମହିଳା ଜଣକ ସୁଷମାଙ୍କୁ ଟୁଇଟର୍‌ ଜରିଆରେ ନିଜ ସମସ୍ୟା କହିବା ପରେ ସୁଷମା ଏହି ଘୋଷଣା କରିଛନ୍ତି। ମହିଳା ଜଣକ କହିଥିଲେ କି ତାଙ୍କର ୭ ବର୍ଷୀୟ କନ୍ୟା ହୃଦ୍‌ ରୋଗରେ ଆକ୍ରାନ୍ତ ଥିବାରୁ ଚିକିତ୍ସା ପାଇଁ ଭାରତ ଆସିବା ନିତାନ୍ତ ଆବଶ୍ୟକ। ମାତ୍ର ଅଗଷ୍ଟ ମାସଠାରୁ ତାଙ୍କ ଭିସା ଅପେକ୍ଷା ତାଲିକାରେ ରହିଛି।

ପାକିସ୍ତାନୀ ମହିଳା ତାଙ୍କ ଟୁଇଟର୍‌ରେ ଲେଖିଛନ୍ତି, ‘ସମ୍ମାନୀୟା ସୁଷମା ଜୀ, ମୁଁ ଦୀର୍ଘ ଦିନ ହେବ ଭିସା ଆବେଦନ କରି ମଧ୍ୟ ଏଯାବତ୍‌ ଭିସା ପାଇପାରିନାହିଁ। ମୋ କୁନି ଝିଅ ଅସୁସ୍ଥ। ଦୟାକରି ମୋତେ ଭିସା ପ୍ରଦାନ କରାଗଲେ ମୁଁ ଉପକୃତ ହେବି।’

ଏହାର ଉତ୍ତରରେ ସୁଷମା ଲେଖିଛନ୍ତି, ‘ହଁ, ତୁମର ୭ ବର୍ଷୀୟ ଝିଅର ହାର୍ଟ ଅପେରସନ ପାଇଁ ଭିସା ନିଶ୍ଚୟ ପ୍ରଦାନ କରାଯିବ। ଭଗବାନଙ୍କ ନିକଟରେ ଆମର ପ୍ରାର୍ଥନା ତୁମ ଝିଅ ଖୁବ୍‌ ଶୀଘ୍ର ସୁସ୍ଥ ହୁଅନ୍ତୁ।’

ଉଲ୍ଲେଖଯୋଗ୍ୟ, ଉକ୍ତ କୁନି ବାଳିକାର ଅସ୍ତ୍ରୋପଚାର ନୋଇଡା ହସ୍ପିଟାଲ୍‌ରେ ହେବ। ସୁଷମା ପୂର୍ବରୁ ମଧ୍ୟ ନିଜର ବଡ଼ ପଣ ଦେଖାଇ ଅନେକ ଥର ଚର୍ଚ୍ଚାରେ ରହିଛନ୍ତି। ୭୦ ତମ ସ୍ୱାଧୀନତା ଦିବସ ଅବସରେ ସୁଷମା ଜଣେ ପାକିସ୍ତାନୀ କର୍କଟ ପିଡ଼ୀତା ମହିଳାଙ୍କୁ ଭାରତ ଆସିବା ପାଇଁ ଭିସା ବନ୍ଦୋବସ୍ତ କରାଇ ଦେଇଥିଲେ। ସେହିପରି ଭାବେ ଜୁଲାଇରେ ମଧ୍ୟ ଜଣେ ଅସୁସ୍ଥ ପାକିସ୍ତାନୀଙ୍କ ଚିକିତ୍ସା ପାଇଁ ସହଜରେ ଭିସା ମଞ୍ଜୁର କରିଥିଲେ ସୁଷମା।

ସମ୍ବନ୍ଧିତ ଖବର