କେଜ୍ରିୱାଲଙ୍କ ବିପକ୍ଷରେ ଲଢ଼ିପାରନ୍ତି ସୁଷମା ସ୍ୱରାଜଙ୍କ ଝିଅ

ନୂଆଦିଲ୍ଲୀ: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ଫେବ୍ରୁଆରି ୮ ତାରଖ ଦିନ ଭୋଟ ଗ୍ରହଣ କରାଯିବ ଓ ଫେବ୍ରୁଆରି ୧୧ରେ ଫଳାଫଳ ପ୍ରକାଶ ପାଇବ। ଏହାକୁ ନେଇ ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ବିଜେପି ଓ କଂଗ୍ରେସର କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ନୂଆଦିଲ୍ଲୀ ଆସନରୁ ଲଢିବେ, ତେଣୁ ତାଙ୍କ ବିପକ୍ଷରେ ଦୁଇ ଜାତୀୟ ଦଳର କିଏ ପ୍ରାର୍ଥୀ ହେବେ ସେ ବିଷୟରେ ଏବେ ଆଲୋଚନା ଆରମ୍ଭ ହୋଇଛି |

ରାଜନୀତି ବିଶେଷଜ୍ଞଙ୍କ କହିବା ମୁତାବକ କେଜ୍ରିୱାଲଙ୍କ ବିପକ୍ଷରେ ଲଢେଇ କରିବା ପାଇଁ କଂଗ୍ରେସ ପକ୍ଷରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଝିଅ ଲତିକା ଦୀକ୍ଷିତଙ୍କୁ ପ୍ରାର୍ଥୀ କରାଯାଇପାରେ | ସେହିପରି ବିଜେପି ପକ୍ଷରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ବର୍ଗତଃ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ୱରାଜଙ୍କୁ ପ୍ରାର୍ଥୀ କରାଯାଇପାରେ |

ଏଠାରେ ସୂଚନା ଥାଉ କି ବାଂସୁରୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ଓକିଲାତି ପଢ଼ିଛନ୍ତି | ଏବେ ସେ ଦିଲ୍ଲୀ ହାଇକୋର୍ଟ ସହ ସୁପ୍ରିମକୋର୍ଟରେ ଅଭ୍ୟାସ ମଧ୍ୟ କରୁଛନ୍ତି | ସେହିପରି ବାଂସୁରୀଙ୍କ ସହ ଆମ ଆଦମୀ ପାର୍ଟିର ପୂର୍ବତନ ନେତା କପିଲ ମିଶ୍ରଙ୍କୁ ମଧ୍ୟ କେଜ୍ରିୱାଲଙ୍କ ବିପକ୍ଷରେ ପ୍ରାର୍ଥୀ କରାଯାଇପାରେ | କିଛି ଦିନ ତଳେ କପିଲ ବିଜେପିରେ ଯୋଗ ଦେଇଥିଲେ | ଆସନ୍ତା ୧୭ ତାରିଖରେ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଥିବାବେଳେ ବିଜେପି ପକ୍ଷରୁ କେଜ୍ରିୱାଲଙ୍କ ବିପକ୍ଷରେ କିଏ ପ୍ରାର୍ଥୀ ହେବ ତାହା ଜଣାପଡିବ |

ସମ୍ବନ୍ଧିତ ଖବର