ମାନବିକତାର ପୂଜାରିଣୀ ସୁଷମା : କୂଟନୈତିକ ବ୍ୟାପାରରେ ପ୍ରଯୁକ୍ତିର ବ୍ୟବହାରକୁ ଦେଇଥିଲେ ନୂଆ ଦିଶା

ନୂଆଦିଲ୍ଲୀ: କୂଟନୈତିକ ବ୍ୟାପାରରେ ପ୍ରଯୁକ୍ତିକୁ କିଭଳି ବ୍ୟବହାର କରାଯାଏ ତାହା ସାରା ଦୁନିଆକୁ ଶିଖାଇଥିଲେ ସୁଷମା। ସୋସିଆଲ୍ ମିଡିଆ ଜରିଆରେ ଲୋକମାନଙ୍କ ସମସ୍ୟାର ସମାଧାନ କରି ସେ ଚର୍ଚ୍ଚିତ ହୋଇଥିଲେ। ତାହାକୁ ଡିଜିଟାଲ୍ କୂଟନୀତି ବୋଲି କୁହାଯାଉଥିଲା। କୂଟନୀତିର ଯଦି କିଛି ମାନବ ଚେ‌ହେରା ଥାଏ ସେ ହେଉଛନ୍ତି ସୁଷମା ବୋଲି ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ।

୨୦୧୭ରେ ପାକିସ୍ତାନୀ ବାଳିକା ସିରିନ୍ ସିରାଜ୍‌ଙ୍କୁ ଏକ ବର୍ଷର ଲମ୍ବା ମେଡିକାଲ୍ ଭିସା ମଞ୍ଜୁର କରି ସେ ସାରା ବିଶ୍ବରେ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କର ସେହି କାମକୁ ଉଭୟ ଶୁଭେଚ୍ଛୁ ଓ ନିନ୍ଦୁକମା‌ନେ ପ୍ରଶଂସା କରିଥି‌ଲେ। ସେହି ବର୍ଷ ସେ ଅନ୍ୟ ଦୁଇ ଜଣ ପାକିସ୍ତାନୀଙ୍କ ପାଇଁ ମେଡିକାଲ୍ ଭିସା ପ୍ରଦାନ କରିଥିଲେ। ୨୦୧୫ରେ ସେ ୟେମେନର ଜଣେ ମହିଳାଙ୍କୁ ସାହାଯ୍ୟ କରିଥିଲେ। ଏକ ବିବାଦ ଅଞ୍ଚଳରେ ସେ ନିଜ ୮ ମାସର ପିଲା ସହ ଫସିଯାଇଥିଲେ ଏବଂ ସେଠାରୁ ଉଦ୍ଧାର ପାଇବା ଲାଗି ସୁଷମାଙ୍କ ନିକଟରେ ଗୁହାରି କରିଥିଲେ। ସେହି ମହିଳାଙ୍କୁ ଉଦ୍ଧାର କରି ସୁଷମା ଦେଶବିଦେଶରେ ପ୍ରଶଂସିତ ହୋଇଥିଲେ। ଇରାନ୍‌ର ବାସ୍ରାଠାରେ ଫସି ରହିଥିବା ୧୬୮ ଜଣ ଭାରତୀୟଙ୍କୁ ଉଦ୍ଧାର କରି ଟ୍ବିଟର୍‌ରେ ସେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଲାଭ କରିଥିଲେ। ଜର୍ମାନିର ବର୍ଲିନ୍‌ରେ ନିଜ ପାସ୍‌ପୋର୍ଟ ହଜାଇ ଦେଇଥିବା ଜଣେ ଭାରତୀୟ ନାଗରିକଙ୍କୁ ମଧ୍ୟ ସେ ସାହାଯ୍ୟ କରିଥିଲେ। ୨୦୧୬ରେ ଦୋହା ବିମାନ ବନ୍ଦରରେ ଫସି ରହିଥିବା ଜଣେ ଭାରତୀୟଙ୍କ ଭାଇକୁ ଦେଶକୁ ଫେରାଇ ଆଣିବାରେ ସୁଷମା ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ୨୦୧୮ରେ ସେ ଆମେରିକାରେ ପାସପୋର୍ଟ ହଜାଇ ଦେଇଥିବା ଜଣେ ଭାରତୀୟଙ୍କୁ ସାହାଯ୍ୟ କରିଥିଲେ।

ଏକ ଗୌରବମୟ ଅଧ୍ୟାୟର ପରିସମାପ୍ତି: ପ୍ରଧାନମନ୍ତ୍ରୀ
ସୁଷମା ସ୍ବରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଭାରତୀୟ ରାଜନୀତିରେ ଏକ ଗୌରବମୟ ଅଧ୍ୟାୟର ପରିସମାପ୍ତି ହେଲା ବୋଲି ମୋଦୀ କହିଛନ୍ତି। ଗରିବଙ୍କ କଲ୍ୟାଣ ଓ ଜନସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ପ୍ରସିଦ୍ଧ ନେତ୍ରୀଙ୍କ ମୃତ୍ୟୁରେ ସାରା ଭାରତ ଶୋକ ପାଳନ କରୁଛି। କୋଟି କୋଟି ଲୋକଙ୍କ ପାଇଁ ସେ ପ୍ରେରଣାର ଉତ୍ସ ଥିଲେ। ତାଙ୍କ ମୃତ୍ୟୁ ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି। ଭାରତ ପାଇଁ ଯାହା ବି କରିଛନ୍ତି ସେଥିପାଇଁ ସେ ସ୍ମରଣୀୟ ହୋଇ ରହିବେ।

ଜଣେ ଲୋକପ୍ରିୟ ନେତ୍ରୀଙ୍କୁ ହରାଇଲା ଦେଶ: ରାଷ୍ଟ୍ରପତି
ସୁଷମାଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ରାଷ୍ଟ୍ର ଜଣେ ଲୋକପ୍ରିୟ ନେତ୍ରୀଙ୍କୁ ହରାଇଲା, ଯିଏ ନିଜର ସାଧାରଣ ଜୀବନରେ ମର୍ଯ୍ୟାଦା, ସାହସ ଓ ସଂହତିର ପ୍ରତୀକ ଥିଲେ। ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆଗଭର ରହୁଥିଲେ। ଭାରତର ଲୋକମାନଙ୍କ ସେବା ପାଇଁ ସେ ସ୍ମରଣୀୟ ରହିବେ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି।

ଦେଶ ପାଇଁ ବହୁତ ବଡ଼ କ୍ଷତି: ଉପରାଷ୍ଟ୍ରପତି
ସୁଷମାଙ୍କ ହଠାତ୍ ବିୟୋଗରେ ମୁଁ ମର୍ମାହତ। ତାଙ୍କ ମୃତ୍ୟୁ ଦେଶପାଇଁ ଓ ବ୍ୟକ୍ତିଗତ ଭାବେ ମୋ ପାଇଁ ବହୁତ ବଡ଼ କ୍ଷତି। ସେ ଜଣେ ଭଲ ନେତ୍ରୀ, ଚମତ୍କାର ପାର୍ଲାମେଣ୍ଟାରିଆନ୍ ଓ ପ୍ରତିଭାବାନ ବକ୍ତା ଥିଲେ ବୋଲି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ କହିଛନ୍ତି।

ଜଣେ ବିରଳ ନେତ୍ରୀଙ୍କୁ ହରାଇଲୁ: ଶାହ
ସାତ ଥର ଲୋକସଭା ଓ ୩ ଥର ବିଧାନସଭା ସଦସ୍ୟ ହୋଇଥିବାବେଳେ ସୁଷମା ସ୍ବରାଜ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବିଭିନ୍ନ ଦାୟିତ୍ବ ନିର୍ବାହ କରିଥିଲେ। ଲୋକସଭାରେ ବିରୋଧୀ ‌ଦଳ ନେତ୍ରୀ ଭାବେ ସେ ବିଜେପିର ମୁଖ୍ୟ ସ୍ବର ପାଲଟିଥିଲେ। ଆଜି ଆମେ ତାଙ୍କ ରୂପରେ ଜଣେ ବିରଳ, ସରଳ ଓ ଅମାୟିକ ନେତ୍ରୀଙ୍କୁ ହରାଇଲୁ।

ଖବରକୁ ସହଜରେ ଗ୍ରହଣ କରିହେଉନି: ଜୟଶଙ୍କର
ସୁଷମା ସ୍ବରାଜଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ଏହି ଖବରକୁ ସହଜରେ ଗ୍ରହଣ କରିହେଉନି। ସାରା ଦେଶ ଶୋକରେ ବୁଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଶୋକ ପାଳନ କରୁଛି ବୋଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି।

ଅସାଧାରଣ ନେତ୍ରୀ ଥିଲେ: ରାହୁଲ
ସୁଷମାଙ୍କ ମୃତ୍ୟୁ ଖବର ମୋତେ ଚକିତ କରିଛି। ସେ ଜଣେ ଅସାଧାରଣ ନେତ୍ରୀ, ପ୍ରତିଭାବାନ ବକ୍ତା ଏବଂ ଅସାଧାରଣ ପାର୍ଲାମେଣ୍ଟାରିଆନ୍ ଥିଲେ, ଯାହାଙ୍କର ସବୁ ଦଳରେ ବନ୍ଧୁ ରହିଛନ୍ତି। ଏଭଳି ଦୁଃଖ ସମୟରେ ମୁଁ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି।

ସମ୍ବନ୍ଧିତ ଖବର