ସୁପ୍ରିମକୋର୍ଟରେ ସୁଶାନ୍ତ ଧଳସାମନ୍ତ ଜାମିନ ମାମଲା: ରାଜ୍ୟ ସରକାରଙ୍କୁ ନୋଟିସ୍‌, ୨ ସପ୍ତାହ ମଧ୍ୟରେ ଜବାବ ତଲବ

ନୂଆଦିଲ୍ଲୀ : ବିଭିନ୍ନ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତଥିବା ଅଭିଯୋଗରେ ଦୀର୍ଘ ୫ ବର୍ଷରୁ ଅଧିକ ହେଲା ଜେଲରେ ଥିବା ଗ୍ୟାଙ୍ଗଷ୍ଟର୍‌ ସୁଶାନ୍ତ କୁମାର ଧଳସାମନ୍ତଙ୍କ ଦ୍ବାରା ଦାଖଲ ଜାମିନ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିବା ସହ ଜବାବ ତଲବ କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ ପ‌ାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ସୁପ୍ରିମକୋର୍ଟର ବିଚାରପତି କେଏମ୍‌ ଯୋଶେଫ ଓ ବିଚାରପତି ଏସ୍‌ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠରେ ସୁଶାନ୍ତ ଧଳସାମନ୍ତଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଖଣ୍ଡପୀଠ ଆବେଦନକାରୀଙ୍କୁ ଆବେଦନର ଗୋଟିଏ ନକଲ ରାଜ୍ୟ ସରକାରଙ୍କର ଷ୍ଟାଣ୍ଡିଂ କାଉନସେଲ୍‌ଙ୍କୁ ପ୍ରଦାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ୧୦ରେ ଓଡ଼ିଶା ହାଇକୋର୍ଟ ଗ୍ୟାଙ୍ଗଷ୍ଟର୍‌ ସୁଶାନ୍ତ ଧଳସାମନ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ୍‌ କରି ଜାମିନ ପାଇଁ ସୁଶାନ୍ତ ଧଳସାମନ୍ତ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟରେ ସୁଶାନ୍ତ ଧଳସାମନ୍ତଙ୍କ ପକ୍ଷରୁ ଏଓଆର ମଧୁସ୍ମିତା ବୋରା, ଆଇନଜୀବୀ ସରୋଜ ପାଢ଼ୀ ଓ ଦିପାଙ୍କର ସିଂହ ମାମଲାର ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର