ନୂଆଦିଲ୍ଲୀ: ମୁମ୍ବାଇକୁ ତଦନ୍ତ ପାଇଁ ଯାଇଥିବା ବିହାର ପୁଲିସକୁ କ୍ବାରାଣ୍ଟିନ୍ରେ ରଖାଯିବା ଠିକ୍ ହୋଇନାହିଁ ବୋଲି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ କହିଛନ୍ତି। ମୁମ୍ବାଇ ପୁଲିସ ଭଳି ଏକ ଅଭିଜ୍ଞ ପୁଲିସ ବାହିନୀ ଏଭଳି କରିବା ଦ୍ବାରା ଠିକ୍ ବାର୍ତ୍ତା ଯାଇନାହିଁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ଅପରପକ୍ଷେ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସତ୍ୟ ଉନ୍ମୋଚିତ ହେଉ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ମୁମ୍ବାଇ ପୁଲିସ ଏହି ମାମଲାର ସମସ୍ତ ପ୍ରମାଣ ନଷ୍ଟ କରି ଦେଇଛି ବୋଲି ସୁଶାନ୍ତ ସିଂ ରାଜପୁତଙ୍କ ବାପା କେ.କେ. ସିଂହଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ କହିଛନ୍ତି। ଅପରପକ୍ଷେ, ସୁପ୍ରିମ କୋର୍ଟ ମାମଲାର ତଦନ୍ତ ପ୍ରକ୍ରିୟାକୁ ପାଟନାରୁ ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ କରିଥିବା ପିଟିସନର ଶୁଣାଣି ମଧ୍ୟ ହୋଇଛି। ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ଆଇନଜୀବୀ ଶ୍ୟାମ ଦିବାନ ମାମଲା ପରିଚାଳନା କରୁଥିବାବେଳେ ବିହାର ସରକାରଙ୍କ ପକ୍ଷରୁ ମୁକୁଲ ରୋହତାଗି ମାମଲା ପରିଚାଳନା କରୁଛନ୍ତି। ଅପରପକ୍ଷେ, ବିହାର ସରକାରଙ୍କ ସିବିଆଇ ତଦନ୍ତ ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି।
ବିହାର ପୁଲିସକୁ କ୍ବାରାଣ୍ଟିନରେ ରଖିବା ଠିକ୍ ହୋଇନି
ସିବିଆଇ ତଦନ୍ତ ସୁପାରିସକୁ ଗ୍ରହଣ କଲା କେନ୍ଦ୍ର
ଏ ନେଇ ଆଜି ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମ୍ କୋର୍ଟଙ୍କୁ ଜଣାଇଛନ୍ତି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ବିହାରର ନୀତୀଶ କୁମାର ସରକାର ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ କରାଯିବାକୁ ସୁପାରିଶ କରିଥିଲେ। ମାମଲାର ସିବିଆଇ ତଦନ୍ତ କରାଯିବାକୁ ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ବିହାର ଡିଜି ପୁଲିସକୁ ଅନୁରୋଧ କରିବା ପରେ ବିହାର ସରକାର କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି।