ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ଦୁଇ ନିଶା ବେପାରୀଙ୍କୁ ଗିରଫ କଲା ଏନ୍ସିବି
ଦ୍ବିତୀୟ ଦିନ ପାଇଁ ରିୟାଙ୍କୁ ସିବିଆଇର ଜେରା, ସିବିଆଇକୁ କ’ଣ କହିଲେ ୪ ସାକ୍ଷୀ?
ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଲଗାତାର ଦ୍ବିତୀୟ ଦିନ ପାଇଁ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିଛି। ଗତକାଲି ସିବିଆଇ ରିୟାଙ୍କୁ ମୁମ୍ବାଇର ଡିଆର୍ଡିଓ ଗେଷ୍ଟହାଉସରେ ୧୦ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା। ଦ୍ବିତୀୟ ଦିନ ପାଇଁ ରିୟାଙ୍କୁ ଜେରା ପାଇଁ ସମନ କରିଥିଲା। ଗତକାଲି ଭଳି ଆଜି ମଧ୍ୟ ରିୟାଙ୍କୁ ଡିଆରଡିଓ ଗେଷ୍ଟ ହାଉସରେ ଜେରା କରାଯାଇଛି। ସେହିଭଳି ସିବିଆଇ ରିୟାର ଭାଇ ସୌଭିକଙ୍କୁ ମଧ୍ୟ ଜେରା କରିଛି। ସିବିଆଇର ଅନୁରୋଧକ୍ରମେ ମୁମ୍ବାଇ ପୁଲିସ ରିୟା ଏବଂ ସୌଭିକଙ୍କୁ ସୁରକ୍ଷା ଯୋଗାଇ ଦେଇଛି। ରିୟା ଏବେ ସିବିଆଇ ତଦନ୍ତ ସମେତ ଏନ୍ସିବି ଏବଂ ଇଡିର ତଦନ୍ତର ସାମ୍ନା କରୁଛନ୍ତି। ଅନ୍ୟପକ୍ଷରେ ଡ୍ରଗ୍ସ କାରବାର ମାମଲାରେ ଏନ୍ସିବି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏନ୍ସିବି ୨ ଜଣ ନିଶା ଯୋଗାଣକାରୀଙ୍କୁ ଗିରଫ କରିଛି। ତେବେ ରିୟା ଡ୍ରଗ୍ସ ବ୍ୟବହାର କରନ୍ତି ନାହିଁ ବୋଲି ତାଙ୍କ ଓକିଲ ସତୀଶ ମନସିନ୍ଧେ କହିଛନ୍ତି। ରିୟା ରକ୍ତ ନମୁନା ପରୀକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଓକିଲ ସତୀଶ କହିଛନ୍ତି।
ସିବିଆଇକୁ କ’ଣ କହିଲେ ୪ ସାକ୍ଷୀ?
ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ୪ ପ୍ରମୁଖ ସାକ୍ଷୀଙ୍କୁ ଜେରା କରିଛି। ମୃତ୍ୟୁର ଅଳ୍ପ କିଛି ମୁହୂର୍ତ୍ତ ପୂର୍ବରୁ ସୁଶାନ୍ତଙ୍କ ମାନସିକ ଅବସ୍ଥା କଥା ସେମାନେ ସିବିଆଇ ଆଗରେ କହିଛନ୍ତି। ଏହି ୪ ସାକ୍ଷୀ ହେଉଛନ୍ତି ସୁଶାନ୍ତଙ୍କ ପଡ଼ୋଶୀ ସିଦ୍ଧାର୍ଥ ପିଠାନି, ଘରୋଇ ସହାୟକ ନୀରଜ, ରୋଷେୟା କେଶବ ଏବଂ ହାଉସ୍ କିପର ଦୀପେଶ ସାୱନ୍ତ। ସିବିଆଇ ଏମାନଙ୍କଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି। ଜୁନ୍ ୧୩ ରାତି ଏବଂ ୧୪ ସକାଳ ମଧ୍ୟରେ ସୁଶାନ୍ତ ନିଜ ଫ୍ଲାଟ୍ରେ ଥିଲେ ବୋଲି ଏମାନେ ସିବିଆଇକୁ କହିଛନ୍ତି। ଜୁନ୍ ୧୪ ସକାଳ ୫ଟା ୩୦ରେ ପ୍ରଥମେ ଦୀପେଶ ସାୱନ୍ତ ବିଛଣାରୁ ଉଠିଥିଲେ। ସେ ସୁଶାନ୍ତଙ୍କୁ ଚା’ ଏବଂ ଜଳଖିଆ ଖାଇବାକୁ କହିବାରୁ ସୁଶାନ୍ତ ମନା କରିଦେଇଥିଲେ। ସେତେବେଳେ ସୁଶାନ୍ତ ଘରେ ଏକା ଥିଲେ ଏବଂ ତାଙ୍କ ଫ୍ୟାନ୍ ଘୁରୁଥିଲା। ସକାଳ ୭ଟାରେ ରୋଷେୟା କେଶବ ଓ ଘରୋଇ ସହାୟକ ନୀରଜ ଉଠିଥିଲେ। ସେମାନେ ସକାଳ ୮ଟାରୁ ୮ଟା ୧୫ ମିନିଟ୍ ମଧ୍ୟରେ ସୁଶାନ୍ତଙ୍କୁ ତାଙ୍କ କୋଠରୀରେ ଦେଖିଥିଲେ ବୋଲି କହିଛନ୍ତି। ୯ଟା ୧୫ରେ କେଶବ ସୁଶାନ୍ତଙ୍କ ପାଇଁ ପଇଡ଼ ପାଣି ଏବଂ ଫଳରସ ଦେବାକୁ ଯାଇଥିବାବେଳେ ତାଙ୍କ କୋଠରୀର ଦରଜା ବନ୍ଦ ହୋଇଥିଲା। ସେହିଭଳି ସକାଳ ୧୦ଟା ୩୦ରେ ପିଠାନି ସୁଶାନ୍ତଙ୍କ କୋଠରୀକୁ ଆସିବା ବେଳେ ତାଙ୍କ କୋଠାରୀ ବନ୍ଦ ଥିଲା। ତେଣୁ ତାଙ୍କୁ ବ୍ୟସ୍ତ ଲାଗିଥିଲା ବୋଲି ପିଠାନି ସିବିଆଇକୁ କହିଛନ୍ତି।