ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ତଦନ୍ତରେ ସହଯୋଗ କରୁନାହାନ୍ତି ରିୟା: ଇଡି

ତଦନ୍ତ କ୍ବାରାଣ୍ଟିନ୍‌ରେ ଥିଲା: ପାଟନା ଏସ୍‌ପି

ନୂଆଦିଲ୍ଲୀ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗତକାଲି ସିବିଆଇ ଏହି ମାମଲାକୁ ଗ୍ରହଣ କରିବା ଅବସରରେ ପ୍ରଥମେ ରିୟାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଅପରପକ୍ଷେ, ମନି ଲଣ୍ଡରିଂ ମାମଲାରେ ଜଡ଼ିତ ଅଭି‌ଯୋଗରେ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ ପାଇଁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ସମନ ଜାରି କରିଥିଲେ। ଆଜି ଇଡି ପକ୍ଷରୁ ରିୟା ଚକ୍ରବର୍ତ୍ତୀଙ୍କୁ ପଚରା ଉଚରା କରାଯାଇଥିଲା। ମାତ୍ର ରିୟା ତଦନ୍ତରେ ସହଯୋଗ କରୁ ନଥିବା କଥା ଇଡିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ରିୟା ଇଡିକୁ ସମୟ ମା‌ଗିଥିଲେ। ସୁପ୍ରିମ କୋର୍ଟ ଶୁଣାଣି ପୂର୍ବରୁ ବୟାନ ରେକର୍ଡ କରା ନଯାଉ ବୋଲି ପୂର୍ବରୁ ରିୟା ଇଡିକୁ ଅନୁରୋଧ କରିଥିଲା। ସେହିଭଳି ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସ୍ବୟିକ୍‌ ଚକ୍ରବର୍ତ୍ତୀଙ୍କୁ ଇଡି ପ୍ରାୟ ୨ ଘଣ୍ଟା ଧରି ପଚରା ଉଚରା କରିବା ପରେ ଛାଡ଼ିଛି। ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେ.କେ. ସିଂହ ଏଫ୍‌ଆଇଆର୍‌ରେ ଦର୍ଶାଇଥିଲେ, ରିୟା ଏବଂ ତା’ ସମ୍ପର୍କୀୟ ଷଡ଼ଯନ୍ତ୍ର କରି ତାଙ୍କ ପୁଅ ସୁଶାନ୍ତକୁ ହତ୍ୟା କରିବା ସହ ସବୁ ସମ୍ପତ୍ତି ହଡ଼ପ କରିଛନ୍ତି। ଏବେ ଏହି ମାମଲାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପୁତ୍ର ଆଦିତ୍ୟ ଠାକ୍‌ରେ, ଡିନୋ ମାରିଆ, ସୂରଯ ପାଞ୍ଚୋଲିଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି।

ତଦନ୍ତ କରିବାକୁ ମୁମ୍ବାଇ ଯାଇ ସେଠାରେ କ୍ବାରାଣ୍ଟିନ୍‌ରେ ରହି ଆଜି ମୁକ୍ତ ହୋଇଥିବା ପାଟ୍‌ନା ଏସ୍‌ପି ବିନୟ ତିୱାରି ମୁମ୍ବାଇ ପୁଲିସର ତଦନ୍ତ ପ୍ରକ୍ରିୟାର କଡ଼ା ସମାଲୋଚନା କରିଛନ୍ତି। ବିନୟ କହିଛନ୍ତି, ସେ କ୍ବାରାଣ୍ଟିନ୍‌ରେ ନଥିଲେ ବରଂ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କ୍ବାରାଣ୍ଟିନ୍‌ରେ ଥିଲା।

ସମ୍ବନ୍ଧିତ ଖବର