ମୁମ୍ବାଇ: ଖୁବଶୀଘ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଜାତୀୟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆରମ୍ଭ କରିବାକୁ ଯାଉଛି। ଏନସିବି ଡ୍ରଗ୍ ଦିଗରୁ ମାମଲାର ତଦନ୍ତ କରିବ ବୋଲି ଏନସିବି ନିର୍ଦ୍ଦେଶକ ରାକେଶ ଆସ୍ଥାନା ମଙ୍ଗଳବାର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଇଡି ଏନସିବିକୁ ଏକ ଚିଠି ଲେଖିଛି। ସୁଶାନ୍ତଙ୍କ ସହ ଜଡିତ କିଛି ଲୋକ ଡ୍ରଗ୍ସ ବ୍ୟବହାର କରୁଥିଲେ। ଏହି ଲୋକଙ୍କ ମଧ୍ୟରୁ କେତେଜଣଙ୍କର ଡ୍ରଗ୍ସ ଡିଲରଙ୍କ ସହ ସମ୍ପର୍କ ରହିଥିବା ଜଣାପଡ଼ିଛି। ତେଣୁ ବ୍ୟାପକ ଭାବେ ଏନ୍ସିବି ଏହି ମାମଲାର ଯାଞ୍ଚ କରିବାକୁ ଯାଉଥିବା କୁହାଯାଉଛି।
ରାକେଶ ଆସ୍ଥାନାଙ୍କ କହିବାନୁସାରେ, ଆମର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅପରେସନ୍ ଟିମ୍ ଏବଂ ଅନ୍ୟ ଦଳ ଏହି ମାମଲାରେ ଡ୍ରଗ୍ସ ଦିଗକୁ ଅନୁଧ୍ୟାନ କରିବେ। ଅନୁସନ୍ଧାନର ପରିସର ବହୁତ ବଡ ହେବ। ଦିଲ୍ଲୀ ମୁମ୍ବାଇର ବଡ ଏବଂ ଅଭିଜ୍ଞ ଅଧିକାରୀଙ୍କୁ ଏହି ଅନୁସନ୍ଧାନରେ ନିୟୋଜିତ କରାଯାଇଛି।
ତେବେ ସୁଶାନ୍ତ ସିଂ ରାଜପୁତଙ୍କ ଘରେ ହାଉସକିପର ଭାବରେ କାମ କରୁଥିବା ନୀରଜ ସିଂ ଅଭିନେତାଙ୍କ ଡ୍ରଗ୍ସର ସିଗାରେଟ(ଡୋପ୍) ଅଭ୍ୟାସ ଥିବା ଦାବି କରିଥିଲେ। ମୁମ୍ବାଇ ପୁଲିସକୁ ଦେଇଥିବା ନିଜ ବୟାନରେ ନୀରଜ କହିଛନ୍ତି ଯେ ଅଭିନେତାଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସର ସିଗାରେଟ ପ୍ରସ୍ତୁତ କରିଥିଲେ। ନୀରଜ ଆହୁରି ମଧ୍ୟ ମୁମ୍ବାଇ ପୁଲିସକୁ କହିଥିଲେ ଯେ ଯେତେବେଳେ ଅଭିନେତାଙ୍କ ମୃତଦେହ ତାଙ୍କ ଶୋଇବା ଘରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା ସେହି ଦିନ ଡୋପ ବାକ୍ସ ଖାଲିଥିବା ସେ ଦେଖିବାକୁ ପାଇଥିଲେ।
/sambad/media/post_attachments/11c2d882c50de5cadd231671a0ed0b2293e7ca9626dfb2111d96b85e9014d390.jpeg)
୨୦୨୦ ଜୁନ୍ ୧୪ରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା। ସିବିଆଇ ଏବଂ ଇଡି ଏହି ମାମଲାର ତଦନ୍ତ କରୁଛନ୍ତି। ସିବିଆଇ ସୁଶାନ୍ତଙ୍କ ଘରକୁ ଯାଇ କ୍ରାଇମ ସିନ୍ର ରି-କ୍ରିଏଟ ବି କରିଛି। ଏଥିସହିତ ଇଡି ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଓ ପିତାଙ୍କୁ ଜେରା କରିଛି। ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ପିତା ଅନେକ ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି।