ଅଭିନେତା ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା

୬ ମାସ ହେଲା ବିଷାଦଗ୍ରସ୍ତ ଥିଲେ, ମାମୁ ଆଣିଲେ ହତ୍ୟା ଅଭିଯୋଗ

ନୂଆଦିଲ୍ଲୀ : ଏମ୍‌.ଏସ୍‌ ଧୋନି ଚଳଚ୍ଚିତ୍ରରେ ଧୋନି ଚରିତ୍ରରେ ଅଭିନୟ କରି ବଲିଉଡରେ ଚର୍ଚ୍ଚିତ ଚେହେରା ପାଲଟିଥିବା ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଉ ନାହାନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସୁଶାନ୍ତ ଲକ୍‌ଡାଉନରେ ନିଜ ବାସଭବନରେ ଏକାନ୍ତବାସରେ ରହୁଥିଲେ। ପୁଲିସ ତାଙ୍କ ଆପାର୍ଟମେଣ୍ଟରେ ପହଞ୍ଚି ମରଶରୀରକୁ ଉଦ୍ଧାର କରିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ଦୀର୍ଘ ଦିନ ହେବ ସୁଶାନ୍ତ ଅବସାଦଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି। ୬ ଦିନ ତଳେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହାର ପ୍ରତିକ୍ରିୟାରେ ସୁଶାନ୍ତ ଗଭୀର ଦୁଃଖ ପ୍ରକାଶ କରିଥିଲେ।

ପୁଲିସ ସୁଶାନ୍ତଙ୍କ ଘରୁ କୌଣସି ଆତ୍ମହତ୍ୟା ନୋଟ୍‌ ପାଇନାହିଁ। ତେବେ ସେ ୬ ମାସ ହେଲା ବିଷାଦଗ୍ରସ୍ତ ଥିଲେ ‌ବୋଲି ତାଙ୍କ ଘରୋଇ ସହାୟିକାଙ୍କଠାରୁ ପୁଲିସ ଜାଣିବାକୁ ପାଇଛି। ଆଜି ସକାଳେ ଯେବେ ସୁଶାନ୍ତ ଦ୍ବାର ଖୋଲିଲେ ନାହିଁ କବାଟ ଭାଙ୍ଗି ତାଙ୍କୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖ‌ାଯାଇଥିଲା। ପୁଲିସ ସୁଶାନ୍ତଙ୍କ ଘରୁ କିଛି ମେଡିକାଲ୍‌ ପ୍ରେସକ୍ରିପ୍‌ସନ ଓ ‌ମେଡିସିନ ପାଇଛି। ଦୀର୍ଘ ୬ ମାସ ହେଲା ସେ ଏହି ମେଡିସିନ ଖାଉଥିବା ଜଣାପଡ଼ିଛି।

ବିହାରର ପୂର୍ଣ୍ଣିୟାରେ ୧୯୮୬ ଜାନୁଆରି ୨୧ ତାରିଖରେ ସୁଶାନ୍ତ ଜନ୍ମଗ୍ରହଣ କରିଥିଲେ। ବାପା ଓ ୪ ବଡ଼ ଭଉଣୀଙ୍କଠୁ ଦୂ‌ରରେ ଆସି ମୁମ୍ବାଇରେ ରହି ଅଭିନୟରେ ସିଡ଼ି ଚଢ଼ୁଥିଲେ। ସୁଶାନ୍ତ ଟିଭି ସୋ’ ‘କିସ ଦେଶ ମେଁ ହୈ ମେରା ଦିଲ୍‌’ରେ ଅଭିନୟ ସହ ପରଦା ଦୁନିଆରେ ପାଦ ଥାପିଥିଲେ। ଜି-ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା’ ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା। ସୁଶାନ୍ତ-ଅଙ୍କିତା ଲୋଖନାଡେଙ୍କ ଅନ୍‌ସ୍କ୍ରିନ କେମିଷ୍ଟ୍ରି ଲୋକଙ୍କ ଦ୍ବାରା ବେଶ ଆଦୃତ ହୋଇଥିଲା। ସୁଶାନ୍ତଙ୍କ ଏହି ଲୋକପ୍ରିୟତା ତାଙ୍କୁ ବଡ଼ପରଦାରେ ସୁଯୋଗ ଦେଲା। ଏମ.ଏସ ଧୋନି: ଦି ଅନଟୋଲ୍‌ଡ ଷ୍ଟୋରି, କାଇ ପୋ ଚେ, ଡିଟେକ୍ଟିଭ ବ୍ୟୋମକେଶ ବକ୍ସି, ପିକେ, କେଦାରନାଥ, ଛିଛୋରେ ଭଳି ହିଟ୍‌ ଫିଲ୍ମ ଭେଟି ଦେଇଥିଲେ। ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ‘ଡ୍ରାଇଭ’ରେ ଜାକଲିନ ଫର୍ଣ୍ଣାଡିଜଙ୍କ ବିପକ୍ଷରେ ସେ ଦେଖିବାକୁ ମିଳିଥିଲେ।

ସୁଶାନ୍ତଙ୍କ ମାମୁ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି। ସେ ଘଟଣାର ତଦନ୍ତ ଦାବି କରିଛନ୍ତି। ସୁଶାନ୍ତଙ୍କ ବାପା ଏହା ଶୁଣିବା ପରେ ମୂର୍ଚ୍ଛା ହୋଇଯାଇଥିଲେ। ସୁଶାନ୍ତଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ କୁପର ହସ୍ପିଟାଲକୁ ନିଆଯାଇଛି। ସୁଶାନ୍ତ ‘କିସ ଦେଶ ମେଁ ହୈ ମେରା ଦିଲ୍‌’ର ସହ ଅଭିନେତା ମହେଶ ସେଟ୍ଟୀଙ୍କୁ ଶେଷ କଲ୍‌ କରିଥିଲେ। ଦୁହେଁ ବହୁତ ଘନିଷ୍ଠ ବନ୍ଧୁ ଥିଲେ। ଏତଦବ୍ୟତୀତ ସେ ତାଙ୍କ ଭଉଣୀଙ୍କ ସହ ମଧ୍ୟ ସକାଳ ସାଢ଼େ ୯ଟାରେ ଫୋନ୍‌ରେ କଥା ହୋଇଥିଲେ। ସୁଶାନ୍ତଙ୍କ ଦୁଇଟି ମୋବାଇଲ୍‌ ଫୋନ ଓ ଲାପ୍‌ଟପକୁ ଜବତ କରି ତଦନ୍ତ ପାଇଁ ‌ଫରେନସିକ ଟିମ୍‌କୁ ହସ୍ତାନ୍ତର କରାଯାଇଛି। ସୁଶାନ୍ତଙ୍କ ଘର ମାଲିକଙ୍କୁ ମଧ୍ୟ ପୁଲିସ ପଚରା ଉଚରା କରିଛି। ସୁଶାନ୍ତ ୪ ମାସ ହେଲା ମାସିକ ୪.୫ ଲକ୍ଷ ଟଙ୍କା ଭଡ଼ାରେ ସେଇ ଘରେ ରହୁଥିଲେ। ଜଣେ ଆର୍ଟ ଡିଜାଇନର, ରୋଷେୟା ଓ ଘରୋଇ ସହାୟିକାଙ୍କ ସହ ରହି ଆସୁଥିଲେ।

ତାଙ୍କ ମୃତ୍ୟୁରେ ବଲିଉଡ୍ ଜଗତ ସ୍ତବ୍ଧ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଏବଂ ଓଡ଼ିଶା ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କ ମୃତ୍ୟୁରେ ‌େଶାକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର