ଡ୍ରଗ୍ସ କାରବାର ମାମଲାରେ ଏନ୍ସିବିର ଖୋଳତାଡ଼
ଗୋଆର ଗୌରବ ଆର୍ଯ୍ୟ ହୋଟେଲକୁ ଇଡିର ନୋଟିସ
ସିବିଆଇ, ଏନ୍ସିବି, ଇଡିର ତଦନ୍ତରୁ ବର୍ତ୍ତିପାରିବେନି ରିୟା: ନୀରଜ
ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଆଜି ପ୍ରଥମ ଥର ପାଇଁ ସିବିଆଇ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିଛି। ପୂର୍ବରୁ ସିବିଆଇ ସମନ କରିବା ପରେ ଆଜି ଦିନ ସାଢେ ୧୦ଟାବେଳେ ରିୟା ମୁମ୍ବାଇର ସାନ୍ତାକ୍ରୁଜ୍ସ୍ଥିତ ଡିଆର୍ଡିଓ ଗେଷ୍ଟ ହାଉସରେ ହାଜର ହୋଇଥିଲେ। ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଫ୍ଲାଟରେ ରହୁଥିବା ପଡ଼ୋଶୀ ସିଦ୍ଧାର୍ଥ ପିଠାନି ଏବଂ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ସିବିଆଇ ଜେରା କରିଛି। ଆଜି ସିବିଆଇ ରିୟାଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଜେରା କରିଛି। ଏସପି ନୁପୁର ପ୍ରସାଦଙ୍କ ନେତୃତ୍ବରେ ସିବିଆଇ ଟିମ୍ ରିୟାଙ୍କୁ ଗୁଡ଼େଇତୁଡ଼େଇ ପ୍ରଶ୍ନ ପଚାରିଛି। ଏଥିସହିତ ପୁଣି ଥରେ ହାଜର ହେବାପାଇଁ ରିୟାଙ୍କୁ ସମନ ହୋଇଛି। ସୁଶାନ୍ତଙ୍କ ମୃତ୍ୟୁ ଖବର ରିୟାଙ୍କୁ ପ୍ରଥମେ କିଏ ଜଣାଇଲା, ଖବର ପାଇବା ପରେ ରିୟା ସୁଶାନ୍ତଙ୍କ ବାନ୍ଦ୍ରା ବାସଭବନରେ ପହଞ୍ଚିଥିଲେ କି, ଜୁନ୍ ୮ରେ ରିୟା କାହିଁକି ସୁଶାନ୍ତଙ୍କ ଫ୍ଲାଟ୍ ଛାଡ଼ି ଚାଲି ଯାଇଥିଲେ, ସୁଶାନ୍ତଙ୍କ ସହ କାହିଁକି ଝଗଡ଼ା ହୋଇଥିଲା, ସୁଶାନ୍ତଙ୍କ ଫ୍ଲାଟ୍ ଛାଡ଼ିବା ପରେ ଜୁନ୍ ୯ରୁ ଜୁନ୍ ୧୪ ମଧ୍ୟରେ ରିୟା ସୁଶାନ୍ତଙ୍କ ସହ ଯୋଗାଯୋଗ କରିଥିଲେ କି, ରିୟାଙ୍କ ପରିବାରର ଆଉ କେଉଁ ସଦସ୍ୟଙ୍କ ସହ ସୁଶାନ୍ତଙ୍କ ସାକ୍ଷାତ ହୋଇଥିଲା କି, ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କ ସହ ରିୟାଙ୍କ ସମ୍ପର୍କ କିଭଳି ଥିଲା ଏବଂ ରିୟା କାହିଁକି ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରୁଥିଲେ। ସିବିଆଇ ଏମିତି ଅନେକ ପ୍ରଶ୍ନ ରିୟାଙ୍କୁ ପଚାରିଥିବା ଜଣାପଡ଼ିଛି। ରିୟାଙ୍କ ଭାଇ ସୌଭିକକୁ ମଧ୍ୟ ସିବିଆଇ ଜେରା କରିଛି। ବୟାନରେ ରହୁଥିବା ଅସଙ୍ଗତିକୁ ଧରିବା ପାଇଁ ଉଭୟଙ୍କୁ ଅଲଗା ଅଲଗା ଜେରା କରାଯାଇଛି। ରିୟାଙ୍କର ଡ୍ରଗ୍ସ କାରବାରରେ ସମ୍ପୃକ୍ତି ଥିବା ଅଭିଯୋଗରେ ଏନ୍ସିବି ଖୋଳତାଡ଼ ଆରମ୍ଭ କରିଛି। ଏନ୍ସିବି ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ, ଗୌରବ ଆର୍ଯ୍ୟ, ଜୟ ଶାହା, ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତି ମୋଦିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ମାମଲା ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଏନ୍ସିବି ଇଡି ସହ ଯୋଗାଯୋଗ କରିଛି। ଇଡି ମଧ୍ୟ ସମସ୍ତ ତଥ୍ୟ ଏନ୍ସିବିକୁ ହସ୍ତାନ୍ତର କରିଛି। ଇଡି ହାସଲ କରିଥିବା ରିୟାର ସମସ୍ତ ହ୍ବାଟ୍ସଆପ୍ ମେସେଜକୁ ଏନ୍ସିବି ଅନୁଧ୍ୟାନ କରୁଛି। ସେହିଭଳି ଡ୍ରଗସ କାରବାର ମାମଲାରେ ଆଜି ଇଡି ଗୋଆର ଗୌରବ ଆର୍ଯ୍ୟ ହୋଟେଲ୍କୁ ନୋଟିସ ଜାରି କରିଛି। ହୋଟେଲ ମାଲିକ ଗୌରବ ଆର୍ଯ୍ୟ ଏବଂ ରିୟାଙ୍କ ମଧ୍ୟରେ ହ୍ବାଟ୍ସଆପ୍ ମେସେଜ୍କୁ ଇଡି ଅନୁଧ୍ୟାନ କରୁଛି। ଅପରପକ୍ଷେ, ସିବିଆଇ, ଇଡି ଏବଂ ଏନ୍ସିବିର ମିଳିତ ତଦନ୍ତରୁ ରିୟା ଚକ୍ରବର୍ତ୍ତୀ ବର୍ତ୍ତିଯାଇ ପାରିବେ ନାହିଁ ବୋଲି ସୁଶାନ୍ତଙ୍କ ସମ୍ପର୍କୀୟ ନୀରଜ ବାବ୍ଲୁ କହିଛନ୍ତି।