ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ସୌଭିକ, ସାମୁଏଲଙ୍କୁ ୯ ଯାଏ ରିମାଣ୍ଡରେ ନେଲା ଏନ୍‌ସିବି

ଗିରଫ ହୋଇପାରନ୍ତି ରିୟା! ସୁଶାନ୍ତଙ୍କ ଘରୋଇ ସହାୟକ ଗିରଫ

ମୁମ୍ବାଇ : ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଏବଂ ମୃତ ଅଭିନେତା ସୁଶାନ୍ତଙ୍କ ପୂର୍ବତନ ଗୃହ ପରିଚାଳକ ସାମୁଏଲ୍‌ ମିରାଣ୍ଡାଙ୍କୁ ଏନ୍‌ସିବି ୯ ତାରିଖ ଯାଏ ରିମାଣ୍ଡରେ ନେଇଛି। ଡ୍ରଗ୍‌ସ ମାମଲାରେ ସଂପୃକ୍ତି ଅଭିଯୋଗରେ ଦୀର୍ଘ ୧୦ ଘଣ୍ଟା ପଚରାଉଚରା କରିବା ପରେ ଏନ୍‌ସିବି ଗତକାଲି ଉଭୟଙ୍କୁ ଗିରଫ କରିଥିଲା। ଆଜି ଉଭୟଙ୍କୁ ମୁମ୍ବାଇର ଏସ୍‌ପ୍ଲାନେଡ୍‌ କୋର୍ଟରେ ହାଜର କରାଯାଇଥିଲା। ସୌଭିକ ଏବଂ ସାମୁଏଲ୍‌ଙ୍କର ନିଶା ବେପାରୀ ଆବ୍‌ଦେଲ ବସିତ୍‌ ପରିହାର ସହ ସମ୍ପର୍କ ଥିଲା ବୋଲି ଆଜି ଏନ୍‌ସିବି କୋର୍ଟକୁ ଜଣାଇଥିଲେ। ଡ୍ରଗ୍‌ସ କାରବାର ମାମଲାରେ ପୂର୍ବରୁ ଏନ୍‌ସିବି ନିଶା ବେପାରୀ ଆବଦେଲ ବସିତ୍‌ ପରିହାର ଏବଂ ଜାଇଦ ଭିଲାତ୍ରାଙ୍କୁ ଗିରଫ କରିଛି। ଡ୍ରଗ୍‌ସ କାରବାରରେ ସୌଭିକଙ୍କ ସହ ସମ୍ପର୍କ ଥିଲା ବୋଲି ପରିହାର ଏନ୍‌ସିବି ଆଗରେ ସ୍ବୀକାର କରିବା ପରେ ସୌଭିକଙ୍କୁ ଗିରଫ କରାଯାଇଥିଲା। ଡ୍ରଗ୍‌ସ କାରବାର ମାମଲାରେ ବଲିଉଡ୍‌ର ବହୁ ଅଭିନେତାଙ୍କ ସହ ସୌଭିକଙ୍କ ସମ୍ପର୍କ ରହିଛି ବୋଲି ଏନ୍‌ସିବି ଜାଣିବାକୁ ପାଇଛି। ବଲିଉଡ୍‌ରେ ଡ୍ରଗ୍‌ସ କିଣାବିକା ନେଇ ଏକ ବଡ଼ ନେଟ୍‌ୱର୍କ କାମ କରୁଛି ବୋଲି ଏନ୍‌ସିବି ଜାଣିବାକୁ ପାଇଛି। ସୌଭିକ ଏବଂ ସାମୁଏଲ୍‌ଙ୍କର ଅନ୍ୟ କେଉଁମାନଙ୍କ ସହ ନିଶା କାରବାର ଚାଲିଥିଲା, ଏନ୍‌ସିବି ଏ ନେଇ ତଦନ୍ତ କରୁଛି। ଏନ୍‌ସିବି ସୌଭିକ ଏବଂ ଭଉଣୀ ରିୟାଙ୍କୁ ମିଳିତ ଜେରା କରିବ। ଏଥିପାଇଁ ଏନସିବି ରିୟାଙ୍କୁ ସମନ ଜାରି କରିଛି। ଆସନ୍ତାକାଲି ଜେରା ପରେ ରିୟାଙ୍କୁ ଗିରଫ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଏନ୍‌ସିବି ଆଜି ସୁଶାନ୍ତଙ୍କ ଘରୋଇ ସହାୟକ ଦୀପେଶ ସାୱନ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର