ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ରିୟା ପୁଣି ଇଡି ଅଫିସରେ ହାଜ‌ର ହେଲେ

ଗଣମାଧ୍ୟମରେ ଅପପ୍ରଚାର ନେଇ ରିୟା ଚକ୍ରବର୍ତ୍ତୀ ଗଲେ ସୁପ୍ରିମ୍‌ କୋର୍ଟ

ନୂ୍ଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଆଜି ରିୟା ଚକ୍ରବର୍ତ୍ତୀ ପୁଣି ଥରେ ଇଡି ଅଫିସରେ ହାଜର ହୋଇଛନ୍ତି। ଇଡି ରିୟାଙ୍କୁ ପୁଣି ଥରେ ମାରାଥନ ଜେରା କରିଛି। ଏହା ପୂର୍ବରୁ ଗତ ଶନିବାର ଇଡି ୮ ଘଣ୍ଟା ଧରି ରିୟାଙ୍କୁ ଜେରା କରିଥିଲା। ସେହିଭଳି ଆଜି ରିୟାର ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଇଡି ଜେରା କରିଛି। ଗତ ଶନିବାର ଇଡି ରିୟାର ଭାଇ ସୌଭିକକୁ ୧୮ ଘଣ୍ଟା ଧରି ଜେରା କରିଥିଲା। ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ନ କରି ମୁମ୍ବାଇ ପୁଲିସ ଦ୍ବାରା କରାଯିବାକୁ ରିୟା ଚକ୍ରବର୍ତ୍ତୀ ସୁପ୍ରମ୍‌ କୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି ଅଗଷ୍ଟ ୧୧ରେ ହେବ। ଅପରପକ୍ଷେ, ବିହାର ପୁଲିସର ସୁପାରିଶ କ୍ରମେ କେନ୍ଦ୍ର ସରକାର ସୁଶାନ୍ତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ କରିବାକୁ ଅନୁମତି ପ୍ରଦାନ କରି ସାରିଛନ୍ତି। ସିବିଆ‌ଇ ମଧ୍ୟ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତାଙ୍କ ବିରୋଧରେ ଗଣମାଧ୍ୟମରେ କରାଯାଉଥିବା ଅପପ୍ରଚାର ସଂକ୍ରାନ୍ତରେ ରିୟା ଚକ୍ରବର୍ତ୍ତୀ ଆଜି ସୁପ୍ରିମ୍‌ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ସୁଶାନ୍ତ ସିଂହ ରାଜପୁତ ମୃ୍ତ୍ୟୁ ମାମଲାର ତଦନ୍ତ ଚାଲିଥିବାବେଳେ ଗଣମାଧ୍ୟମରେ ବିଭ୍ରାନ୍ତିକର ରିପୋର୍ଟ ପ୍ରକାଶ ପାଇବା ଠିକ୍‌ ନୁହେଁ ବୋଲି ରିୟା ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେହିଭଳି ରାଜନୈତିକ ଲଢ଼େଇରେ ସେ ବଳି ପଡୁଛନ୍ତି ବୋଲି ରିୟା ସତ୍ୟପାଠରେ ଦର୍ଶାଇଛନ୍ତି। ଗଣମାଧ୍ୟମରେ ଅପପ୍ରଚାର ଯୋଗୁଁ ତାଙ୍କର ଗୋପନୀୟତା ନଷ୍ଟ ହେଉଛି ବୋଲି ରିୟା ଯୁକ୍ତି କରିଛନ୍ତି। ସେହିଭଳି ୨ଜି ଦୁର୍ନୀତି ଏବଂ ତଲ୍‌ୱାର ହତ୍ୟାକାଣ୍ଡ ଘଟଣାରେ ମିଡିଆ ଏତେ ମାତ୍ରାରେ ଅପପ୍ରଚାର କରିଥିଲା, ମାତ୍ର ଏହି ଦୁଇଟି ମାମଲା କୋର୍ଟରେ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିଲା ବୋଲି ରିୟା ସୁପ୍ରିମ କୋର୍ଟଙ୍କୁ କହିଛନ୍ତି। ଏହା ପୂର୍ବରୁ ରିୟା ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ଭାର ପାଟନା ପୁଲିସ ବଦଳରେ ମୁମ୍ବାଇ ପୁଲିସକୁ ହସ୍ତ‌ାନ୍ତର କରିବାକୁ ସୁପ୍ରିମ କୋର୍ଟରେ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର