ସୁଶାନ୍ତ ସିଂହ ରାଜପୁତ ମାମଲା : ମନି ଲଣ୍ଡରିଂ କେସ୍‌ ରୁଜୁ କଲା ଇଡି

ତଦନ୍ତରେ ନୂଆ ମୋଡ଼, ମାମଲା କୋର୍ଟରେ ଥିବାରୁ ମୁଁ ଚୁପ୍‌ ରହିଛି: ରିୟା

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟ ମାମଲାରେ ୧୫ କୋଟି ଟଙ୍କାର ସନ୍ଦିଗ୍ଧ ନେଣଦେଣ ସାମ୍ନାକୁ ଆସିଥିବାରୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏ ନେଇ ମନି ଲଣ୍ଡରିଂ କେସ୍‌ ରୁଜୁ କରିଛନ୍ତି। ତଦନ୍ତକାରୀ ସଂସ୍ଥା ଦ୍ବାରା ବିହାର ପୁଲିସ ପକ୍ଷରୁ ଦାଖଲ ହୋଇଥିବା ଏଫ୍‌ଆଇଆର୍‌କୁ ଯାଞ୍ଚ କରିବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ସୁଶାନ୍ତଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଉଠାଯାଇଥିବାରୁ ଏହା କିଭଳି ଓ କେଉଁଠି ଉପଯୋଗ ହୋଇଛି ତାହାର ତଦନ୍ତ ଚାଲିଛି। ବିହାର ପୁଲିସର ଏକ ଟିମ୍‌ ଏହି ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ୩ ଦିନ ହେଲା ଡେରା ପକାଇଛି। ସୁଶାନ୍ତଙ୍କ ଦ୍ବାରା ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇଙ୍କ ଦ୍ବାରା ସ୍ଥାପିତ ୨ଟି କମ୍ପାନିର ନେଣଦେଣରେ ଅର୍ଥ ଲଗାଣ ନେଇ ଖୋଳତାଡ଼ ଚାଲିଛି। ରିୟା ଚକ୍ରବର୍ତ୍ତୀଙ୍କ ଦ୍ବାରା ସୁଶାନ୍ତଙ୍କ ବ୍ୟାଙ୍କ ଖାତାରେ ବେଆଇନ ଭାବେ ଅର୍ଥ ହସ୍ତାନ୍ତର ହୋଇଥିବା ଅଭିଯୋଗ ହୋଇଛି । ଏବେ ସୁଶାନ୍ତଙ୍କ ପରିବାର ବନାମ ରିଆ ଚକ୍ରବର୍ତ୍ତୀ ମାମଲା ଦିନକୁ ଦିନ ଅଧିକ ରୋଚକ ହେବାରେ ଲାଗିଛି। ସୁଶାନ୍ତଙ୍କ ପିତା କେ କେ ସିଂହ ପାଟଣାର ରାଜୀବ ନଗର ପୋଲିସ ଷ୍ଟେସନରେ ଚୋରା ଚାଲାଣ, ବ୍ଲାକମେଲ, ନିର୍ଯାତନା ସହ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସ୍‌କାଇବା ଭଳି ଅନେକ ସଙ୍ଗୀନ ଅଭିଯୋଗ ଆଣି ମାମଲା ରୁଜୁ କରିବା ପରେ ଏହି ମାମଲାର ଅନେକ ନୂଆ ଦିଗ ସାମନାକୁ ଆସୁଛି।

ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲାରେ ବିହାର ପୁଲିସର ଏକ ୪ ଜଣିଆ ଟିମ୍‌ ୨୯ ତାରିଖ ଦିନ ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ସମୟରେ ରିୟା ପଚରା ଉଚରା ଏବଂ ଗିରଫଦାରିକୁ ଏଡ଼ାଇବା ପାଇଁ କ୍ରମାଗତ ଭାବରେ ନିଜର ଠିକଣା ପରିବର୍ତ୍ତନ କରୁଛନ୍ତି। ପୁଲିସ ସୂତ୍ର ଅନୁଯାୟୀ, ରିୟା ଚକ୍ରବର୍ତ୍ତୀଙ୍କ ନିକଟରେ ପହଞ୍ଚିବା ପାଇଁ ପୁଲିସ ସମସ୍ତ ଅଭିଯୋଗ ସହ ଜଡ଼ିତ ପ୍ରମାଣ ସଂଗ୍ରହ କରୁଛି। ପୁଲିସ ଏହାର ତଦନ୍ତରେ ବ୍ୟାଙ୍କ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଉପରେ ବିଚାର କରୁଛି। ପ୍ରମାଣ ସଂଗ୍ରହ କରିବା ପରେ ବିହାର ପୋଲିସ ରିୟାଙ୍କୁ ଗିରଫ ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କରିବ। ବର୍ତ୍ତମାନ ପୁଲିସ ରିୟାଙ୍କୁ ପଚରାଉଚରା ପାଇଁ ଖୋଜୁଛି। କିନ୍ତୁ ସେ ନିଜ ପରିବାର ସହିତ ନିଜ ଠିକଣା ବଦଳାଇ ଦେଇଛନ୍ତି ଏବଂ ଗିରଫ୍‌ ଭୟରେ ଫେରାର୍‌ ହୋଇଯାଇଛନ୍ତି। ଏହି ମାମଲାରେ ପାଟଣା ପୁଲିସର ବରିଷ୍ଠ ଅଧିକାରୀଙ୍କ ଆଉ ଏକ ଟିମ୍‌ ମୁମ୍ବାଇ ପଠାଇବାକୁ ଯୋଜନା ଚାଲିଛି।

ରିୟା ଚକ୍ରବର୍ତ୍ତୀ ମଧ୍ୟ ଏବେ ମୁହଁ ଖୋଲିଛନ୍ତି। ରିୟା ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ‘ମାମଲା କୋର୍ଟରେ ରହିଛି, ଏଣୁ ମୁଁ ଚୁପ୍ ଅଛି। ମୋର ନ୍ୟାୟ ବ୍ୟବସ୍ଥା ଉପରେ ଭରସା ରହିଛି। ସତ ସାମନାକୁ ଆସିବ ବୋଲି ବିଶ୍ବାସ ରହିଛି। ସତ୍ୟମେବ ଜୟତେ।’ ରିୟାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍ଆଇଆରରେ ସୁଶାନ୍ତଙ୍କ ବାପା ଗୁରୁତର ଅଭିଯୋଗ କରି କହିଛନ୍ତି, ସୁଶାନ୍ତଙ୍କୁ ପରିବାରଠାରୁ ଦୂରେଇବାକୁ ରିୟା ଚେଷ୍ଟା କରିଥିଲେ। ବାରମ୍ବାର ସୁଶାନ୍ତଙ୍କ ନମ୍ବର ବଦଳାଇ ଦେଉଥିଲେ ଯାହାଦ୍ବାରା, ସେ ପରିବାର ସହ କଥା ହୋଇପାରିନଥିଲେ। ସୁଶାନ୍ତଙ୍କ ଉପରେ ନଜର ରଖିବା ପାଇଁ ରିୟା ତାଙ୍କର ସମସ୍ତ ଷ୍ଟାଫ୍‌ଙ୍କୁ ମଧ୍ୟ ବଦଳାଇ ଦେଇଥିଲେ। ରିୟାଙ୍କ ନଜର ସୁଶାନ୍ତଙ୍କ ଟଙ୍କା ଉପରେ ଥିଲା ବୋଲି ସୁଶାନ୍ତଙ୍କ ପିତା ଅଭିଯୋଗ ଆଣିଛନ୍ତି। ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ନେଇ ଠକେଇ କରିବାକୁ ଚେଷ୍ଟା କରିଥିଲେ ବୋଲି ଏତଲାରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର