ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ବଲିଉଡ୍‌ରେ ସିବିଆଇ ତଦନ୍ତ ଦାବି ଜୋର୍‌ ଧରିଲା

ମୁମ୍ବାଇ : ବଲିଉଡ୍‌ର ବହୁ ଅଭିନେତା, ଅଭିନେତ୍ରୀ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କୁ ନ୍ୟାୟ ମିଳୁ ବୋଲି ବଲିଉଡ୍‌ର ଅଭିନେତା, ଅଭିନେତ୍ରୀ ଟ୍ବିଟ୍‌ କରି ଦାବି କରିଛନ୍ତି। ଅପରପକ୍ଷେ, ସୁଶାନ୍ତଙ୍କ ପରିବାର ଏବଂ ସମ୍ପର୍କୀୟମାନେ ଦୀର୍ଘ ଦିନ ଧରି ସିବିଆଇ ତଦନ୍ତ ଦାବି କରି ଆସୁଛନ୍ତି। ଗତକାଲି ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂହ କୀର୍ତ୍ତି ଏକ ଭିଡିଓ ମାଧ୍ୟମରେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସେହିଭଳି ସୁଶାନ୍ତଙ୍କ ସହ ଅଭିନୟ କରିଥିବା ସହ-ଅଭିନେତ୍ରୀ କୀର୍ତ୍ତି ସାନୋନ୍‌, ସୁଶାନ୍ତଙ୍କ ପୂର୍ବତନ ବାନ୍ଧବୀ ଅଙ୍କିତା ଲୋଖାଣ୍ଡେ, ପରିଣୀତି ଚୋପ୍ରା, ସିଦ୍ଧାନ୍ତ ଚତୁର୍ବେଦୀ, ବରୁଣ ଧାୱନ ପ୍ରମୁଖ ବଲିଉଡ୍‌ର ଅନେକ ଅଭିନେତା, ଅଭିନେତ୍ରୀ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ପୂର୍ବରୁ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ସମାନ ଦାବି କରିଥିଲେ। ସୂଚନାଯୋଗ୍ୟ, ଜୁନ୍‌ ୧୪ରେ ସୁଶାନ୍ତଙ୍କ ନିଜ ବାନ୍ଦ୍ରାସ୍ଥିତ ଘରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ମୁମ୍ବାଇ ପୁଲିସ ଏହାକୁ ଆତ୍ମହତ୍ୟା ବୋଲି କହିଥିଲା।

ମୋବାଇଲ୍‌ ଫୋନ୍‌ ଓ ସିଡିଆର୍‌ ପାଇଁ ଚିଠି ଲେଖିଲା ଇଡି
ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି ଜୋର୍‌ ହେଉଥିବାବେଳେ ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ (ଇଡି) ସୁଶାନ୍ତଙ୍କ ମୋବାଇଲ୍‌ ଫୋନ୍‌ ଏବଂ ସିଡିଆର୍‌ (କଲ୍‌ ଡିଟେଲ ରିପୋର୍ଟ) ପାଇଁ ମୁମ୍ବାଇ ପୁଲିସକୁ ଚିଠି ଲେଖିଛି। ମୃତ୍ୟୁ ପରେ ସୁଶାନ୍ତଙ୍କ ମୋବାଇଲ୍‌ ଫୋନ୍‌ ମୁମ୍ବାଇ ପୁଲିସ ଜବତ କରିଥିଲା। ମାତ୍ର ମୁମ୍ବାଇ ପୁଲିସ ଇଡିଙ୍କ ଚିଠିର କୌଣସି ଜବାବ ଦେଇ ନଥିବା ସୂଚନା ମିଳିଛି। ଅପରପକ୍ଷେ, ମୃତ ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଜୟନ୍ତୀ ଶାହଙ୍କୁ ଇଡି ୧୧ ଘଣ୍ଟା ଧରି ଜେରା କରିଛି। ଗତ ଦୁଇ ବର୍ଷ ମଧ୍ୟରେ ସୁଶାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା, ମାନସିକ ସ୍ଥିତି, ରୋଗର ଲକ୍ଷଣ ଏବଂ ଅନ୍ୟାନ୍ୟ ବ୍ୟାବହାରିକ ପରିବର୍ତ୍ତନ ସମ୍ପର୍କରେ ଇଡି ମ୍ୟାନେଜର ଜୟନ୍ତୀ ଶାହଙ୍କୁ ପଚାରିଥିଲେ। ଏହାବ୍ୟତୀତ ସିବିଆଇ ମଧ୍ୟ ଏହି ମାମଲାରେ ପଚରା ଉଚରା ଆରମ୍ଭ କରିଦେଇଛି। ସୁଶାନ୍ତଙ୍କୁ ନ୍ୟାୟ ମିଳିବା ଦାବି‌ରେ ତାଙ୍କ ଭଉଣୀ ଶ୍ବେତା ଇଣ୍ଟର‌ନେଟ୍‌ରେ କ୍ୟାମ୍ପେନ ଆରମ୍ଭ କରିଦେଇଛନ୍ତି।

ସୁଶାନ୍ତ କେବେ ଆତ୍ମହତ୍ୟା କରି ନ ପାରନ୍ତି: ଅଙ୍ଗରକ୍ଷକ
ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ସମଗ୍ର ଦେଶକୁ ଗଭୀର ଆଘାତ ଦେଇଛି। ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ବୋଲି ମୁମ୍ବାଇ ପୁଲିସ କହୁଥିବାବେଳେ ସୁଶାନ୍ତଙ୍କ ଅଙ୍ଗରକ୍ଷକ ଏହାକୁ ଗ୍ରହଣ କରିନାହାନ୍ତି। ସୁଶାନ୍ତ କୌଣସି ପରିସ୍ଥିତିରେ ବି ଆତ୍ମହତ୍ୟା କରି ନ ପାରନ୍ତି ବୋଲି ତାଙ୍କ ଅଙ୍ଗରକ୍ଷକ ଦୃଢତାର ସହ କହିଛନ୍ତି। ସୁଶାନ୍ତଙ୍କ ଜୀବନ ହସଖୁସିରେ ପରିପୂର୍ଣ୍ଣ ଥିଲା। ସେ କେବେ ନକରାତ୍ମକ ଚିନ୍ତାଧାରାରେ ବିଶ୍ବାସ କରୁ ନଥିଲେ। ତାଙ୍କ ଜୀବନ ପରିପୂର୍ଣ୍ଣ ଥିଲା। କ’ଣ ପାଇଁ ସେ ଆତ୍ମହତ୍ୟା କରିବେ ବୋଲି ଅଙ୍ଗରକ୍ଷକ ପ୍ରଶ୍ନ କରିଛନ୍ତି। ତେବେ ସୁଶାନ୍ତଙ୍କ ମୃତ୍ୟୁ ତାଙ୍କୁ ଗଭୀର ଆଘାତ ଦେଇଛି ବୋଲି ଅଙ୍ଗରକ୍ଷକ କହିଛନ୍ତି।

ସମ୍ବନ୍ଧିତ ଖବର