ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତ ଦେହ ପୁଲିସ ଜବତ କରିବା ଦିନ ଜଣେ ମହିଳା ସୁଶାନ୍ତଙ୍କ ଆପାର୍ଟମେଣ୍ଟ ମଧ୍ୟକୁ ପ୍ରବେଶ କରୁଥିବାର ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଏହି ମହିଳାଜଣକ କଳା ଗାର ପଡ଼ିଥିବା ପୋଷାକ ପିନ୍ଧିଥିବାବେଳେ ସେ ଅନ୍ୟ ଜଣେ ପୁରୁଷଙ୍କୁ ଲୁକ୍କାୟିତ ଭାବେ ଭେଟି କ’ଣ କଥାବାର୍ତ୍ତା କରୁଥିବାର ଦେଖା ଯାଉଛି। ସୁଶାନ୍ତଙ୍କ ମୃତ ଦେହ ଜବତ କରିବା ପାଇଁ ପୁଲିସ ଆପାର୍ଟମେଣ୍ଟରେ ପହଞ୍ଚିବା ପୂର୍ବରୁ ଏହି ମହିଳାଜଣକ ଆପାର୍ଟମେଣ୍ଟକୁ ପ୍ରବେଶ କରୁଥିବାର ଦେଖାଯାଇଛି। ଯୁବକଜଣକ ମଧ୍ୟ କଳା ପୋଷାକ ପରିଧାନ କରିଛନ୍ତି ଏବଂ ବ୍ୟାଗ୍ରୁ କ’ଣ ବାହାର କରି ମହିଳାଙ୍କ ସହ କଥା ହେଉଛନ୍ତି।
ତେଣୁ ଜୁନ୍ ୧୪ ତାରିଖର ସିସିଟିଭି ଫୁଟେଜ୍ରେ ସେହି ରହସ୍ୟମୟୀ ମହିଳାଜଣକ କିଏ ବୋଲି ବିଜେପି ନେତା ସୁବ୍ରମଣ୍ୟମ୍ ସ୍ବାମୀ ପ୍ରଶ୍ନ କରିଛନ୍ତି। ମୁମ୍ବାଇ ପୁଲିସ କାହିଁକି ଏହି ସିସିଟିଭି ଫୁଟେଜ୍ ଉପରେ ତଦନ୍ତ ନ କରି ଚୁପ୍ ବସିଯାଇଛି ବୋଲି ସ୍ବାମୀ କହିଛନ୍ତି। ଏହା ପୂର୍ବରୁ ସୁଶାନ୍ତଙ୍କ ଆପାର୍ଟମେଣ୍ଟକୁ କାହିଁକି ଦୁଇଟି ଆମ୍ବୁଲାନ୍ସ ଆସିଥିଲା ଏବଂ କେଉଁଠି ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା ବୋଲି ସ୍ବାମୀ ପ୍ରଶ୍ନ କରିଥିଲେ। ସୂଚନାଯୋଗ୍ୟ, ଗତ ଜୁନ୍ ୧୪ରେ ସୁଶାନ୍ତଙ୍କୁ ତାଙ୍କ ଆପାର୍ଟମେଣ୍ଟରେ ମୃତ୍ୟୁ ହୋଇଥିବାର ଦେଖିବାକୁ ମିଳିଥିଲା। ଏହି ଦିନ ହିଁ ସେ ରହସ୍ୟମୟୀ ମହିଳା ସୁଶାନ୍ତଙ୍କ ଆପାର୍ଟମେଣ୍ଟକୁ ଆସୁଥିବାର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ବୋଲି ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ପ୍ରଶ୍ନ ଉଠାଇଛନ୍ତି। ଏହି ମହିଳା କିଏ, ଏହାର ସିବିଆଇ ତଦନ୍ତ କରାଗଲେ ହିଁ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ସ୍ବାମୀ କହିଛନ୍ତି।