ନୂଆଦିଲ୍ଲୀ: ଜୁନ ୧୪ରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ଆତ୍ମହତ୍ୟା ପାଇଁ କିଏ ଦାୟୀ, ସେ ନେଇ ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଥିଲେ ତାଙ୍କ ପ୍ରଶଂସକ। ଅନେକ ବରିଷ୍ଠ ନେତା ସିବିଆଇ ତଦନ୍ତ ପାଇ ଦାବି କରିବା ପରେ ଆଜି ଶେଷରେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ହସ୍ତାନ୍ତର କରାଯାଇଛି। ବୁଧବାର ଏ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଦାୟିତ୍ବ ସିବିଆଇକୁ ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଆଜି କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅନୁରୋଧ ରକ୍ଷା କରି ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇଥିବା ନେଇ ସୁପ୍ରିମକୋର୍ଟକୁ ଜଣାଇଛନ୍ତି।
ବିହାରର ରାଜଧାନୀ ପାଟନାରେ ପଞ୍ଜିକୃତ ହୋଇଥିବା ମାମଲାକୁ ମହାରାଷ୍ଟ୍ରର ମୁମ୍ବାଇକୁ ସ୍ଥାନାନ୍ତର କରିବା ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଏକ ପିଟିସନର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିଷୟରେ ଜଣାଇଥିଲେ।
ମଙ୍ଗଳବାର ସନ୍ଧ୍ୟାରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାରର ରାଜ୍ୟପାଳ ଫଗୁ ଚୌହାନ ମଧ୍ୟ ସିବିଆଇ ଯାଞ୍ଚ ପାଇଁ ସହମତି ପ୍ରକାଶ କରିଥିଲେ। ଏହା ସହ ସିବିଆଇ ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂଙ୍କ ଦ୍ୱାରା ପାଟନାରେ ପଞ୍ଜିକୃତ ହୋଇଥିବା ମାମଲାର ତଦନ୍ତ, ତଦାରଖ ଏବଂ ଅନୁସନ୍ଧାନ କରିବା ଉଚିତ୍ ବୋଲି ସେ କହିଥିଲେ। ରାଜପୁତଙ୍କ ପିତା କେ.କେ ସିଂ ଚଳିତ ମାସ ଆରମ୍ଭରେ ପାଟଣାର ରାଜୀବ ନଗର ପୁଲିସ ଷ୍ଟେସନରେ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ଉପରେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବାର ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/t-38.jpg)