ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍ସିବି) ଅଧିକାରୀମାନେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି। ଡ୍ରଗ୍ ଯୋଗାଣ ସମ୍ବନ୍ଧୀୟ ସୂଚନା ଉପରେ ଆଧାର କରି ଏନ୍ସିପି ଏକାଧିକ ସ୍ଥାନରେ ଚଢ଼ାଉ କରିବା ସହ ଜଣେ ଡ୍ରଗ୍ସ ବେପାରୀଙ୍କୁ ମଧ୍ୟ ଗିରଫ କରିଛି। ଏହାବ୍ୟତୀତ ଅନ୍ୟ ଦୁଇ ଡ୍ରଗ୍ସ ବେପାରୀଙ୍କୁ ଧରି ସେମାନଙ୍କୁ ପଚରାଉଚରା କରିବାକୁ ଏନ୍ସିବି ତା’ର ମୁମ୍ବାଇ କାର୍ଯ୍ୟାଳୟକୁ ଆଣିଛି। ଏନ୍ସିବି ମୁମ୍ବାଇର ଫିଲ୍ମ ସିଟି ଅଞ୍ଚଳ ସମେତ ଆହୁରି ଅନେକ ସ୍ଥାନରେ ଚଢ଼ଉ କରିଥିବା ଜାଣିବାକୁ ମିଳିଛି।
ଡ୍ରଗ୍ସ କାରବାର ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଅଗଷ୍ଟ ୨୬ ତାରିଖରେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ, ସୋଭିକ୍ ଚକ୍ରବର୍ତ୍ତୀ, ଗୌରବ ଆର୍ଯ୍ୟ, ଜୟା ସାହା ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ୨୦୧୭ ମସିହାରେ ରିୟାଙ୍କ ନିକଟକୁ ପଠାଯାଇଥିବା କିଛି ହ୍ବାଟ୍ସଆପ୍ ଚାଟ ଆଧାରରେ ହୋଟେଲିୟର୍ ଗୌରବ ଆର୍ଯ୍ୟଙ୍କୁ ଗିରଫ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ ଗୌରବଙ୍କୁ ଏ ସଂପର୍କରେ ପଚରାଉଚରା କରୁଛି।
/sambad/media/post_attachments/wp-content/uploads/2020/09/download-300x147.jpg)
ପୂର୍ବରୁ ଗୋଆରେ ୨ଟି ହୋଟେଲ୍ ଚଳାଉଥିବା ଗୌରବ ଆର୍ଯ୍ୟ ଗଣମାଧ୍ୟମରେ ସଫେଇ ଦେଇ କହିଥିଲେ ଯେ ସେ କେବେ ବି ନିଶା କାରବାର କରିନାହାନ୍ତି ଓ ସୁଶାନ୍ତଙ୍କ ମୃତ୍ୟୁର ମୁଖ୍ୟ ଅଭିଯୁକ୍ତା ରିୟାଙ୍କ ସହ ତାଙ୍କର ପ୍ରାୟ ୩ ବର୍ଷ ତଳେ ଯୋଗାଯୋଗ ହୋଇଥିଲା। ଏହି ମାମଲାରେ ସେ ଆଇନ୍କୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ କହିଥିଲେ।
ଉଲ୍ଲେଖଯୋଗ୍ୟ, ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିିତ ଏକ ଆପାର୍ଟମେଣ୍ଟ୍ରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଝୁଲନ୍ତା ଶବ ମିଳିବା ପରଠାରୁ ବିବାଦରେ ରହିଛନ୍ତି ଅଭିନେତ୍ରୀ ରିୟା। ସେ ସୁଶାନ୍ତଙ୍କୁ ଦୀର୍ଘ ଦିନ ଧରି ଡ୍ରଗ୍ସ ଦେଇ ତାଙ୍କ ସଂପତ୍ତି ହଡ଼ପ ଯୋଜନା କରିଥିଲେ ବୋଲି ସୁୁଶାନ୍ତଙ୍କ ବାପା ଅଭିଯୋଗ ଆଣିବା ପରେ ତଦନ୍ତ ଜୋର୍ ଧରିଥିଲା।