ସୁଶାନ୍ତ ସିଂ ରାଜପୁତଙ୍କ ଘରୋଇ ସହାୟକ ଦୀପେଶ ସାଓ୍ଵନ୍ତକୁ ଗିରଫ କଲା ଏନସିବି

ମୁମ୍ବାଇ : ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଉ ଏକ ନାଟକୀୟ ମୋଡ଼ ଆସିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଆଜି ସୁଶାନ୍ତ ସିଂଙ୍କ ପୂର୍ବତନ ଘରୋଇ ସହାୟକ ଦୀପେଶ ସାଓ୍ଵନ୍ତଙ୍କୁ ଗିରଫ କରିଛି । ସାଓ୍ଵନ୍ତ ସୁଶାନ୍ତ ରହୁଥିବା ଡ୍ୟୁପ୍ଲେକ୍ସର ତଳ ମହଲାରେ ରହୁଥିଲା । ଜୁନ ୧୩-୧୪ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ଘରୁ ମିଳିବା ସମୟରେ ଘରେ ସିଦ୍ଧାର୍ଥ ପିଠାନି, କେଶବ ବାଚନର,ନିରଜଙ୍କ ସମେତ ସାଓ୍ଵନ୍ତ ମଧ୍ୟ ଉପସ୍ଥିତ ଥିଲା ।

ଶୁକ୍ରବାରଦିନ ଏନସିବି ପକ୍ଷରୁ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଓ ସୁଶାନ୍ତଙ୍କ ପୂର୍ବତନ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଥିଲା । ଶୁକ୍ରବାର ରାତିରେ ଏନସିବି ପକ୍ଷରୁ ସୌଭିକ, ମିରାଣ୍ଡା ଓ ସାଓ୍ଵନ୍ତକୁ ମୁହାଁମୁହିଁ ବସାଇ ଜେରା କରିଥିଲା । ଏହି ଜେରା ପରେ ସାଓ୍ଵନ୍ତ ବିରୁଦ୍ଧରେ ପ୍ରମାଣ ମିଳିଥିବା ଏନଏବି କହିଛି । ସାଓ୍ଵନ୍ତ ମଧ୍ୟ ନିଶାଦ୍ରବ୍ୟ କାରବାରରେ ସଂପୃକ୍ତ ଥିଲା ।

ଏନସିବିର ଉପ-ନିର୍ଦ୍ଦେଶକ କେପିଏସ ମାଲହୋତ୍ରା କହିଛନ୍ତି ଯେ ସାଓ୍ଵନ୍ତର ସ୍ୱୀକାରୋକ୍ତି ଓ ଆଉ କେତେକ ଡିଜିଟାଲ ପ୍ରମାଣ ମିଳିଛି । କାଲି ତାକୁ କୋର୍ଟରେ ହାଜର କରାଯିବ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ସାମୁଏଲ ମିରାଣ୍ଡା ସ୍ୱୀକାର କରିଥିଲା ଯେ ସେ ସୁଶାନ୍ତଙ୍କ ପାଇଁ ସେପ୍ଟେମ୍ବର ୨୦୧୯ରୁ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଗଞ୍ଜେଇ ସଂଗ୍ରହ କରୁଥିଲା ।

ସମ୍ବନ୍ଧିତ ଖବର