ସୁଶାନ୍ତ ସିଂ ରାଜପୁତ ମାମଲାରେ ଶେଷ ସିଦ୍ଧାନ୍ତରେ ପହଞ୍ଚିନି ସିବିଆଇ, ଏବେ ବି ଅବ୍ୟାହତ ରହିଛି ତଦନ୍ତ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଏପର୍ଯ୍ୟନ୍ତ କୌଣସି ପ୍ରକାରର ଶେଷ ସିଦ୍ଧାନ୍ତରେ ପହଞ୍ଚିପାରି ନାହିଁ। ଏହି ଘଟଣାର ତଦନ୍ତ ସିବିଆଇ ପକ୍ଷରୁ ଏବେ ବି ଅବ୍ୟାହତ ରହିଛି ବୋଲି ଆଜି ସିବିଆଇ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ନିକଟରେ କିଛି ଗଣମାଧ୍ୟମରେ ଏକ କଳ୍ପନାଜଳ୍ପନା ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁ ରିପୋର୍ଟରେ ଦର୍ଶାଯାଇଥିଲା ଯେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ଚାଲିଥିବା ତଦନ୍ତ ଏହାର ସିଦ୍ଧାନ୍ତରେ ପହଞ୍ଚିଛି ଏବଂ ବିହାରର ଏକ କୋର୍ଟରେ ଏହାର ରିପୋର୍ଟ ଦାଖଲ କରି ଏଜେନ୍‌ସି ଏହାକୁ ଶୀଘ୍ର ଶେଷ କରିଦେବ। ତେବେ, ପ୍ରକାଶିତ ରିପୋର୍ଟ ସଂପୂର୍ଣ୍ଣ ରୂପେ କଳ୍ପନାତ୍ମକ ଓ ଏଥିରେ କୌଣସି ପ୍ରକାରର ସତ୍ୟତା ନାହିଁ ବୋଲି କହିଛି ସିବିଆଇ।

ଚଳିତ ବର୍ଷ ଜୁନ୍‌ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂ ରାଜପୁତ କରିଥିବା ଆତ୍ମହତ୍ୟା ଘଟଣା ପଛରେ ଷଡ୍‌ଯନ୍ତ୍ର ରହିଥିବା ନେଇ ଅଭିଯୋଗ ହେବା ପରେ ଏହି ଘଟଣାର ତଦନ୍ତ ସିବିଆଇ ଉପରେ ନ୍ୟସ୍ତ କରାଯାଇଥିଲା। ଏହି ଘଟଣାରେ ପ୍ରଥମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଭଳି ଏଜେନ୍‌ସି ବଲିଉଡରେ ଡ୍ରଗ୍‌ସ ବ୍ୟବହାରକୁ ନେଇ ଏକ ବହୁଚର୍ଚ୍ଚିତ ଅନୁସନ୍ଧାନ କରିବା ପରେ ଏହି ଅନୁସନ୍ଧାନ ଅନେକ ମୋଡ଼ ନେଇଥିଲା।

ଅନ୍ୟପକ୍ଷରେ, ଏହି ମାମଲାରେ ଲଢ଼ୁଥିବା ଓକିଲ ବିକାଶ ସିଂ କହିଛନ୍ତି ଯେ ଉପଲବ୍ଧ ଫୋରେନସିକ୍‌ ପ୍ରମାଣ ଯାଞ୍ଚ କରିବା ପାଇଁ ଏକ ନୂତନ ମେଡିକାଲ୍‌ ପ୍ୟାନେଲ୍‌ ଗଠନ ନହେବା ପର୍ଯ୍ୟନ୍ତ ଆମେ ଲଢ଼ିବୁ। ଯଦି ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତେବେ ଆମେ କୋର୍ଟକୁ ଯାଇ ଏକ ନୂତନ ଫୋରେନସିକ୍‌ ଟିମ୍‌ ଗଠନ କରିବାକୁ ଦାବି କରିବୁ। ଆମେ ଏକ ଉପଯୁକ୍ତ ଡାକ୍ତରୀ ମତ ଚାହୁଁଛୁ। କାରଣ, ଏହି ପ୍ରକାର ମତ ନ୍ୟାୟ ପ୍ରଦାନ କରିପାରିବ ନାହିଁ ବୋଲି ଶ୍ରୀ ସିଂ କହିଛନ୍ତି।

ସମ୍ବନ୍ଧିତ ଖବର