ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଯାଞ୍ଚ ପାଇଁ ୩ଟି ଟିମ ଗଠନ କଲା ସିବିଆଇ; ଆସନ୍ତାକାଲିଠାରୁ ଏଭଳି ଭାବେ ଆରମ୍ଭ ହେବ ତଦନ୍ତ
ମୁମ୍ବାଇ: ଗତକାଲି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିଲେ ସୁପ୍ରିମକୋର୍ଟ | ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିବିଆଇ ୩ଟି ଟିମ ଗଠନ କରିଥିବା ସହ ଆଜି ଏହି ୩ଟି ଟିମ ମୁମ୍ବାଇରେ ପହଞ୍ଚିବେ ବୋଲି ଜଣା ପଡିଛି | ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କର ଯାଞ୍ଚ ପ୍ରକ୍ରିୟା କେମିତି ରହିବ ଏବଂ ସେମାନେ କେଉଁ ସବୁ ପ୍ରଶ୍ନର ଉତ୍ତର ଖୋଜିବେ, ତାହା ସାମ୍ନାକୁ ଆସିଛି |
ସୂଚନା ମୁତାବକ, ପ୍ରତ୍ୟେକ ତିନିଜଣ ସଦସ୍ୟଙ୍କ ସହିତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି)କୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି |ଏହି ତିନି ଭାଗ ମଧ୍ୟରୁ ଗୋଟିଏ ଦଳ ସୁଶାନ୍ତଙ୍କ ଦସ୍ତାବିଦ ଏବଂ କେସ୍ ଡାଏରୀ ଯାଞ୍ଚ କରିବେ । ଦ୍ୱିତୀୟ ଦଳ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିବା ସହ ତୃତୀୟ ଦଳ ଦୁବାଇ ମାଫିଆ ଲିଙ୍କ ଏବଂ ବଲିଉଡ ସଂଯୋଗର ଦାବିକୁ ଯାଞ୍ଚ କରିବେ।

ସିବିଆଇ ଦଳ ଆଜି ରାତିରେ ମୁମ୍ବାଇରେ ପହଞ୍ଚିବା ସହ ଆସନ୍ତାକାଲିଠାରୁ ହାଇ-ପ୍ରୋଫାଇଲ୍ ମାମଲାର ଯାଞ୍ଚ ଆରମ୍ଭ ହେବ। ଏହି ମାମଲାରେ ସିବିଆଇ ମୁମ୍ବାଇ ପୁଲିସଠାରୁ ତଦନ୍ତ ସମ୍ବନ୍ଧିତ ସମସ୍ତ ଡକ୍ୟୁମେଣ୍ଟ ସଂଗ୍ରହ କରିବ ଏବଂ ତଦନ୍ତ ଅଧିକାରୀଙ୍କୁ ମଧ୍ୟ ଭେଟିବ। ଏଜେନ୍ସିର ଅଧିକାରୀମାନେ ମଧ୍ୟ ବାନ୍ଦ୍ରା ଫ୍ଲାଟ ପରିଦର୍ଶନ କରିବାର ସମ୍ଭାବନା ରହିଛି, ଯେଉଁଠାରେ ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ଏହା ସହ ସିବିଆଇ ଟିମ୍ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀମାନଙ୍କ ମଧ୍ୟରୁ ମିତୁ ସିଂଙ୍କୁ ଭେଟିବେ ବୋଲି ସୂଚନା ମିଳିଛି।
ସିବିଆଇର ପୁଲିସ ଅଧୀକ୍ଷକ (ଏସପି) ନୂପୁର ପ୍ରସାଦ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ସହ ଏସଆଇଟିର ନେତୃତ୍ୱ ନେବେ ବୋଲି ଜଣା ପଡିଛି। ଏହା ସହ ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) କହିଛି ଯେ, ମୁମ୍ବାଇ ଆସୁଥିବା ସିବିଆଇ ଦଳକୁ ସଙ୍ଗରୋଧ କରାଯିବ ନାହିଁ। ଏହାପୂର୍ବରୁ ଯେତେବେଳେ ବିହାର ଆଇପିଏସ ଅଧିକାରୀ ବିନୟ ତିୱାରୀ ଏହି ମାମଲାର ଯାଞ୍ଚ କରିବା ପାଇଁ ମୁମ୍ବାଇ ଗସ୍ତ କରିଥିଲେ, ସେତେବେଳେ ତାଙ୍କୁ ବିଏମସି କର୍ତ୍ତୃପକ୍ଷଙ୍କ ଦ୍ୱାରା ସଙ୍ଗରୋଧରେ ରହିବା ପାଇଁ ବାଧ୍ୟ କରାଯାଇଥିଲା।