ପଞ୍ଚଭୂତରେ ଲୀନ ହେଲେ ସୁଶାନ୍ତ, ମୁମ୍ବାଇରେ ହେଲା ଅନ୍ତିମ ସଂସ୍କାର

ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲେ ବଲିଉଡ୍‌ର ଖ୍ୟାତନାମା କଳାକାର ସୁଶାନ୍ତ ସିଂହ ରାଜପୁତ। ମୁମ୍ବାଇର ଭିଲେପା‌ର୍ଲେସ୍ଥିତ ଶ୍ମଶାନରେ ସୋମବାର ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଯାଇଛି। ତାଙ୍କର ଅନ୍ତିମ ସଂସ୍କାର ପାଇଁ ସୁଶାନ୍ତଙ୍କ ପରିବାର ଲୋକ ଆଜି ପାଟ୍‌ନାରୁ ଆସି ମୁମ୍ବାଇରେ ପହଞ୍ଚିଥିଲେ। ସୁଶାନ୍ତଙ୍କ ଘର ବିହାରର ପାଟ୍‌ନାରେ। ସେ ମୁମ୍ବାଇ ଆସିବା ପୂର୍ବରୁ ବିହାର ଓ ଦିଲ୍ଲୀରେ ତାଙ୍କ ଛାତ୍ର ଜୀବନ ବିତାଇଥିଲେ। ଅନ୍ତିମ ସଂସ୍କାର ସମୟରେ କରୋନା କଟକଣା ହେତୁ ଖୁବ୍ ଅଳ୍ପ ଲୋକ ଶ୍ମଶନକୁ ଶେଷ ଦର୍ଶନ ଲାଗି ଆସିପାରିଥିଲେ। ବିଭିନ୍ନ ଫିଲ୍ମରେ ତାଙ୍କର ସହ-କଳାକାର ଥିବା ଶ୍ରଦ୍ଧା କପୁର, କ୍ରିତି ସାନୋନ୍ ଓ ତାଙ୍କର ବାନ୍ଧବୀ ଅଭିନେତ୍ରୀ ରେହା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଶେଷ ଦର୍ଶନ କରିଥିଲେ। ଏଥିସହ ସୁଶାନ୍ତଙ୍କ ଡେବୁ ଫିଲ୍ମ ‘କାଇ ପୋ ଚେ’ ଓ ‘କଦାରନାଥ’ର ନିର୍ଦ୍ଦେଶନା ଦେଇଥିବା ଅଭିଷେକ କପୁର, ପ୍ରଯୋଜିକା ଏକତା କପୁର, ଅଭିନେତା ବିବେକ ଓବରଏ, ରଣଦୀପ୍ ହୁଡା,ପ୍ରତୀକ ବବ୍ବର ଏବଂ ଗାୟକ ଉଦିତ ନାରାୟଣ ପ୍ରମୁଖ ଶ୍ମଶାନକୁ ଆସିଥିଲେ।

ଉଲ୍ଲେଖଯୋଗ୍ୟ, ଏମ୍‌.ଏସ୍‌ ଧୋନି: ଦ ଅନଟୋଲ୍ଡ ଷ୍ଟୋରି ଚଳଚ୍ଚିତ୍ରରେ ଧୋନି ଚରିତ୍ରରେ ଅଭିନୟ କରି ବଲିଉଡରେ ଚର୍ଚ୍ଚିତ ଚେହେରା ପାଲଟିଥିବା ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ଗତକାଲି  ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।  ତେବେ ଦୀର୍ଘ ଦିନ ହେବ ସୁଶାନ୍ତ ଅବସାଦଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି।

DNA India

ତେବେ ସେ ୬ ମାସ ହେଲା ବିଷାଦଗ୍ରସ୍ତ ଥିଲେ ‌ବୋଲି ତାଙ୍କ ଭଉଣୀଙ୍କଠାରୁ ପୁଲିସ ଜାଣିବାକୁ ପାଇଛି। ରବିବାର ସକାଳେ ଯେବେ ସୁଶାନ୍ତ ନିଜ କୋଠରୀର ଦ୍ବାର ଖୋଲିଲେ ନାହିଁ କବାଟ ଭାଙ୍ଗି ତାଙ୍କୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖ‌ାଯାଇଥିଲା। ପୁଲିସ ସୁଶାନ୍ତଙ୍କ ଘରୁ କିଛି ମେଡିକାଲ୍‌ ପ୍ରେସକ୍ରିପ୍‌ସନ ଓ ‌ମେଡିସିନ ପାଇଛି। ଦୀର୍ଘ ୬ ମାସ ହେଲା ସେ ଏହି ମେଡିସିନ ଖାଉଥିବା ଜଣାପଡ଼ିଛି।

ବିହାରର ପୂର୍ଣ୍ଣିୟାରେ ୧୯୮୬ ଜାନୁଆରି ୨୧ ତାରିଖରେ ସୁଶାନ୍ତ ଜନ୍ମଗ୍ରହଣ କରିଥିଲେ। ବାପା ଓ ୪ ବଡ଼ ଭଉଣୀଙ୍କଠୁ ଦୂ‌ରକୁ ଆସି ମୁମ୍ବାଇରେ ରହି ଅଭିନୟ ଜରିଆରେ ସଫଳତାର ସିଡ଼ି ଚଢ଼ୁଥିଲେ। ସୁଶାନ୍ତ ଟିଭି ସୋ’ ‘କିସ ଦେଶ ମେଁ ହୈ ମେରା ଦିଲ୍‌’ରେ ଅଭିନୟ ସହ ପରଦା ଦୁନିଆରେ ପାଦ ଥାପିଥିଲେ। ଜି-ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା’ ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା। ସୁଶାନ୍ତ-ଅଙ୍କିତା ଲୋଖଣ୍ଡେ ଅନ୍‌ସ୍କ୍ରିନ କେମିଷ୍ଟ୍ରି ଲୋକଙ୍କ ଦ୍ବାରା ବେଶ ଆଦୃତ ହୋଇଥିଲା। ସୁଶାନ୍ତଙ୍କ ଏହି ଲୋକପ୍ରିୟତା ତାଙ୍କୁ ବଡ଼ପରଦାରେ ସୁଯୋଗ ଦେଲା। ଏମ.ଏସ ଧୋନି: ଦି ଅନଟୋଲ୍‌ଡ ଷ୍ଟୋରି, କାଇ ପୋ ଚେ, ଡିଟେକ୍ଟିଭ ବ୍ୟୋମକେଶ ବକ୍ସି, ପିକେ, କେଦାରନାଥ, ଛିଛୋରେ ଭଳି ଭଲ ଭଲ‌ ଫିଲ୍ମ ଭେଟି ଦେଇଥିଲେ। ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ‘ଡ୍ରାଇଭ’ରେ ଜାକଲିନ ଫର୍ଣ୍ଣାଡିଜଙ୍କ ବିପକ୍ଷରେ ସେ ଶେଷ ଥର ଲାଗି  ଦେଖିବାକୁ ମିଳିଥିଲେ।

ସମ୍ବନ୍ଧିତ ଖବର