ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତୁରନ୍ତ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭଉଣୀ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୟା’ ମଧ୍ୟରେ ଦେଢ଼ ମାସ ବିତି ଯାଇଥିଲେ ମଧ୍ୟ ଏବେ ବି ତଦନ୍ତ ଜାରି ରହିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲା ପ୍ରତିଦିନ ନୂଆ ମୋଡ଼ ନେଉଥିବା ବେଳେ ଏବେ ଏହି ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂହ କୀର୍ତ୍ତି।

 

ଶ୍ବେତା ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ କରି ଲେଖିଛନ୍ତି, ‘ ମୋ ହୃଦୟ କହୁଛି ଆପଣ ସତ୍ୟର ସାଥ୍‌ ଦେବେ। ଆମେ ଅତି ସାଧାସିଧା ପରିବାରର ଲୋକ। ମୋ ଭାଇ ବଲିଉଡ୍‌କୁ ଯିବା ବେଳେ କିମ୍ବା ଏବେ ସୁଦ୍ଧା ତା’ର କେହି ଗଡ୍‌ଫାଦର ନଥିଲେ। ମୋର ଆପଣଙ୍କୁ ଅନୁରୋଧ ଯେ ଆପଣ ମୋ ଭାଇର ମୃତ୍ୟୁ ମାମଲାକୁ ନେଇ ଯତ୍ନଶୀଳ ହୁଅନ୍ତୁ। କେହି ଯେପରି ପ୍ରମାଣ ନଷ୍ଟ କରିବାରେ ସମର୍ଥ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ। ମୁଁ ନ୍ୟାୟ ଆଶା କରୁଛି।’ ସେ ଆହୁରି ବି ଲେଖିଛନ୍ତି ଯେ ‘ମୁଁ ସୁଶାନ୍ତ ସିଂହ ରାଜପୁୁତଙ୍କ ଭଉଣୀ। ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ଭରସା ଅଛି। ଏହି ମାମଲାର ତୁରନ୍ତ ସମାଧାନ ଚାହୁଁଛି।’

ତେବେ ଏହି ତଦନ୍ତରେ ଛନ୍ଦି ହୋଇ ପଡ଼ିଛନ୍ତି ତାଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ। ରିୟାଙ୍କ ବିରୋଧରେ ଗୋଟାଏ ପରେ ଗୋଟାଏ ପ୍ରମାଣ ମିଳିବାରେ ଲାଗିଛି। କେଉଁଠି ନା କେଉଁଠି ସୁଶାନ୍ତଙ୍କ ମୃତ୍ୟୁ ପଛର କାରଣ ରିୟା ହୋଇଥାଇ ପାରନ୍ତି ବୋଲି ସନ୍ଦେହ ଉପୁଜିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଏବେ ଆଗଇେ ଆସିଛନ୍ତି ତାଙ୍କ ପ୍ରଥମ ପ୍ରେମିକା ଅଙ୍କିତା ଲୋଖଣ୍ଡେ। ସେ ସୁଶାନ୍ତଙ୍କ ସହ କରିଥିବା କିଛି ହ୍ବାଟ୍‌ସଆପ୍‌ ଚାଟ୍‌କୁ ଏବେ ବିହାର ପୁଲିସ୍‌କୁ ଦେଇଛନ୍ତି। ସେହି ଚାଟ୍‌ରୁ ସ୍ପଷ୍ଟ ଜଣାଯାଇଛି ଯେ ସୁଶାନ୍ତ ତାଙ୍କ ପ୍ରେମିକା ରିୟାଙ୍କ ସହ ସନ୍ତୁଷ୍ଟ ନଥିଲେ। ରିୟା ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ସେ ଅଙ୍କିତାଙ୍କୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର