ସୁଶାନ୍ତ ଆତ୍ମହତ୍ୟା ମାମଲା: ଅଢ଼େଇ କୋଟିର ନିଷିଦ୍ଧ ନିଶାଦ୍ରବ୍ୟ ଜବତ, ଜଣେ ଗିରଫ

ନୂଆଦିଲ୍ଲୀ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା ସହ ସମ୍ପୃକ୍ତ ଘଟଣାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ମୁମ୍ବାଇରୁ ଅଢ଼େଇ କୋଟି ଟଙ୍କାର ନିଷିଦ୍ଧ ନିଶାଦ୍ରବ୍ୟ ଜବତ କରିଛି। ଏଥିସହିତ ନିଶାଦ୍ରବ୍ୟ କାରବାର କରୁଥିବା ରିଗେଲ ମହାକାଳକୁ ଗିରଫ କରାଯାଇଛି। ଗୁଇନ୍ଦା ସୂଚନା ଆଧାରରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଥିଲା। ଅନ୍ଧେରୀ ୱେଷ୍ଟ ଏରିଆରୁ ୫ କେଜି ଗଞ୍ଜେଇ ଏବଂ କିଛି ଅଫିମ ଜବତ ହୋଇଥିଲା। ଯାହାର ବଜାର ଦର ଅଢ଼େଇ କୋଟିରୁ ଅଧିକ ହେବ।

ଦୀର୍ଘଦିନରୁ ଏଜେନ୍ସି ସ୍କାନରରେ ଥିବା ଡ୍ରଗ୍ସ ମାଫିଆ ରିଗେଲ୍‌ ମହାକାଳକୁ ଗିରଫ କରାଯାଇଥିଲା। କେତେକ ଡ୍ରଗ୍ସ ବିକ୍ରେତା ଏବଂ ସେପ୍ଟେମ୍ବର ମାସରେ ଗିରଫ ହୋଇଥିବା ଅନୁଜ କେଶୱାନିଙ୍କୁ ପଚରା ଉଚରାବେଳେ ମହାକାଳ ନାମ ଜଣାପଡ଼ିଥିଲା। ମହାକାଳକୁ ସ୍ଥାନୀୟ କୋର୍ଟରେ ଆଜି ହାଜର କରାଯାଇଥିଲା। ବିଚାରପତି ତାକୁ ଡିସେମ୍ବର ମାସ ୧୧ ତାରିଖ ପର୍ଯ୍ୟନ୍ତ ଏନ୍‌ସିବି ହେପାଜତକୁ ପଠାଇ ଦେଇଛନ୍ତି। ସୁଶାନ୍ତ ଆତ୍ମହତ୍ୟା ମାମଲାର ତଦନ୍ତ ଶେଷ ହୋଇ ନଥିବାବେଳେ ମହାକାଳକୁ ପଚରା ଉଚରା କରାଯିବା ପରେ ଅନେକ ତଥ୍ୟ ଜଣାପଡ଼ିବ ବୋଲି ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର