ସୁଶାନ୍ତଙ୍କ ଶେଷଯାତ୍ରା, ମାତ୍ର ୨୦ ଜଣ ସାମିଲ୍‌ ହେଲେ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ବିଲୀନ ହୋଇଛି। ମୁମ୍ବାଇର ଭିଲେପାର୍ଲେସ୍ଥିତ ପବନ ହଂସ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଶେଷକୃତ୍ୟ ବେଳେ ତାଙ୍କ ବାପା, ପରିବାରବର୍ଗ ଓ ବନ୍ଧୁମାନେ ଉପସ୍ଥିତ ଥିଲେ। କରୋନା କଟକଣା ପାଇଁ ଅନ୍ତିମ ସଂସ୍କାରରେ ମାତ୍ର ୨୦ ଜଣ ସାମିଲ୍‌ ହୋଇଥିଲେ। ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀ ମୁମ୍ବାଇର କୁପର ହସ୍ପିଟାଲରେ ପହଞ୍ଚି ସୁଶାନ୍ତଙ୍କ ଶେଷ ଦର୍ଶନ କରିଥିଲେ। ସୁଶାନ୍ତଙ୍କ ଅନ୍ତିମ ଯାତ୍ରାରେ ସାମିଲ୍‌ ହେବାକୁ ବଲିଉଡର କିଛି ସେଲେବ୍ରିଟିମାନେ ମଧ୍ୟ ଶ୍ମଶାନ ଘାଟରେ ପହଞ୍ଚିଥିଲେ। ଶ୍ରଦ୍ଧା କପୁର ଓ କ୍ରିତି ସେନନ ନିଜ ବନ୍ଧୁଙ୍କୁ ଅନ୍ତିମ ବିଦାୟ ଜଣାଇବାକୁ ପହଞ୍ଚିଥିଲେ।

ସୋମବାର ଫରେନସିକ ଟିମ୍‌ ସୁଶାନ୍ତ ଭଡ଼ା ରହୁଥିବା ଫ୍ଲାଟରେ ଯାଞ୍ଚ କରିବା ପାଇଁ ପହଞ୍ଚିଥିଲେ। ସୁଶାନ୍ତଙ୍କ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ଶ୍ବାସରୁଦ୍ଧ ହେବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ପରେ ସୁଶାନ୍ତଙ୍କ ଅଙ୍ଗର କିଛି ଅଂଶ ଯାଞ୍ଚ ପାଇଁ ପଠାଯାଇଛି। ୩୪ ବର୍ଷୀୟ ସୁଶାନ୍ତ ଗତକାଲି ବାନ୍ଦ୍ରାସ୍ଥିତ ଭଡ଼ା ଘରେ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିଲେ। ଅବସାଦ ପାଇଁ ସେ କିଛି ମେଡିସିନ ଖାଉଥିବା ବେଳେ ତାଙ୍କ ଘରୁ ଏହି ମେଡିସିନ ମିଳିଛି। ତେବେ ତାଙ୍କ ଘରୁ ‌ଆତ୍ମହତ୍ୟା ସଂକ୍ରାନ୍ତ କୌଣସି ଚିଠି ମିଳିନାହିଁ। ମୁମ୍ବାଇ ପୁଲିସ ବ୍ୟତୀତ ଅପରାଧ ଶାଖା ଅଧିକାରୀମାନେ ବି ରବିବାର ତାଙ୍କ ଫ୍ଲାଟକୁ ଯାଇଥିଲେ। ମାତ୍ର ସେପରି କିଛି ପାଇନଥିଲେ। ସୁଶାନ୍ତଙ୍କ ବାପା ପାଟନାସ୍ଥିତ ଘରେ ରହୁଥିଲେ। ତାଙ୍କ ସହ କେୟାରଟେକର ଲକ୍ଷ୍ମୀ ଦେବୀ ରହୁଥିଲେ। ଲକ୍ଷ୍ମୀ କହିଛନ୍ତି, ଯେବେ ସୁଶାନ୍ତ ତାଙ୍କ ପାଖକୁ ଶେଷ କଲ୍‌ କରିଥିଲେ ସେତେବେଳେ କହିଥିଲେ ଦୟାକରି ମୋ ବାପାଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବ।

ସମ୍ବନ୍ଧିତ ଖବର