ଲାଲୁଙ୍କ ପୁଅ ଧମକାଇବାରୁ ନିଜ ପୁଅ ବାହାଘର ସ୍ଥାନ ବଦଳାଇଲେ ସୁଶୀଳ ମୋଦି

ପାଟନା: ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି ରବିବାର ଦିନ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଳ ମୋଦି ନିଜ ପୁଅ ବାହାଘର ସ୍ଥାନ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ପୁଅ ବାହାଘର ବେଳେ ବିଭ୍ରାଟ କରିବେ ବୋଲି ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍‌ ପ୍ରତାପ ଯାଦବ ଧମକ ଦେଇଥିଲେ।

ନିର୍ଭୟରେ ପୁଅ ବାହାଘର କରନ୍ତୁ ବୋଲି ତେଜ୍‌ ସୁଶୀଳଙ୍କୁ ସାହସ ଦେଇ କହିଛନ୍ତି। କିନ୍ତୁ ବରର ପିତାଙ୍କୁ ତେଜ୍‌ ବାଡ଼େଇବେ ବୋଲି କହିଥିବା ଏକ ଭିଡିଓ ଗତ ସପ୍ତାହରେ ଭାଇରାଲ୍‌ ହୋଇଥିଲା। ବୋଧହୁଏ ସେହି ଡରରେ ମୋଦି ପୁଅ ବାହାଘର ସ୍ଥାନ ରାଜେନ୍ଦ୍ର ନଗରର ଶଖା ମୈଦାନ ବଦଳରେ ଭେଟେରନାରି କଲେଜ ପଡ଼ିଆକୁ ଉଠାଇ ନେଇଛନ୍ତି।

କନ୍ୟା ପରିବାରକୁ ରାଜନୀତିରୁ କାଢ଼ି ଦିଆଯାଇଛି। ତା’ଛଡ଼ା ସେମାନେ ଏ ଭଳି ହିଂସାତ୍ମକ ଧମକ ସହ ଅଭ୍ୟସ୍ତ ନୁହନ୍ତି। ତେଜ୍‌ ପ୍ରତାପ କି ଭଳି ଲୋକ ଜାଣି ଥିବାରୁ ଆମେ ବାହାଘର ସ୍ଥାନ ପରିବର୍ତ୍ତନ କରିବାକୁ ସ୍ଥିର କଲୁ ବୋଲି ମୋଦି କହିଛନ୍ତି। ଲାଲୁ କାହିଁକି ତାଙ୍କ ପୁଅର ବିବୃତିକୁ ନିନ୍ଦା କରୁ ନାହାନ୍ତି ବୋଲି ମୋଦି ଆଶ୍ଚର୍ଯ୍ୟ ହୋଇଛନ୍ତି।

ଔରଙ୍ଗାବାଦରେ ତେଜ୍‌ ପ୍ରତାପ କହିଥିଲେ: ମୋଦିଙ୍କ ପୁଅ ବାହାଘରକୁ ମତେ ନିମନ୍ତ୍ରଣ କରାଯାଇଛି। ଯଦି ମୁଁ ସେଠାକୁ ଯାଏ, ତାଙ୍କୁ ସର୍ବସାଧାରଣରେ ବେଜ୍ଜତ୍‌ କରିବି। ତାଙ୍କ ଘରେ ପଶି ମାରିବି, ବାହାଘର ସ୍ଥଳରେ ସଭା କରିବି, ଭଙ୍ଗାରୁଜା କରିବି।

ମୋଦିଙ୍କ ବାହାଘର ସ୍ଥାନ ବଦଳ ପ୍ରସଙ୍ଗରେ ପଚରା ଯିବାରୁ ତେଜ୍‌ ପ୍ରତାପ କହିଲେ: ମୁଁ ଅପରାଧୀ କି, ଆତଙ୍କବାଦୀ ନୁହେଁ। ସାଧାରଣ ସଭାରେ ମୁଁ ଯାହା କହିଲି ମୋଦି ତାକୁ ସତ ଭାବିବା ଅନୁଚିତ। ନିର୍ଭୟରେ ସେ ବାହାଘର କାମ କରି ଚାଲନ୍ତୁ।

ଲାଲୁ କହିଛନ୍ତି ଯେ ମୋଦି ଜଣେ ଡରକୁଳା ଉପମୁଖ୍ୟମନ୍ତ୍ରୀ। ଯଦି ଉପମୁଖ୍ୟମନ୍ତ୍ରୀ ଏଡ଼େ ଡରୁଆ ହେବେ, ବିହାରର ଲୋକେ କେମିତି ନିରାପଦ ବୋଲି କହିବା?

ମୋଦି କହିଛନ୍ତି ଯେ ବହୁ କେନ୍ଦ୍ରମନ୍ତ୍ରୀ ଓ ଚାରିଟି ରାଜ୍ୟର ରାଜ୍ୟପାଳ ବିବାହ ଉତ୍ସବରେ ଯୋଗ ଦେବେ ବୋଲି ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଗୋଆର ରାଜ୍ୟପାଳ ମୃଦୁଳା ତ୍ରିପାଠୀ, ପଶ୍ଚିମବଙ୍ଗର ରାଜ୍ୟପାଳ କେଶରୀନାଥ ତ୍ରିପାଠୀ, ମେଘାଳୟର ରାଜ୍ୟପାଳ ଗଙ୍ଗାପ୍ରସାଦ ଏବଂ ଗୁଜୁରାଟର ରାଜ୍ୟପାଳ ଓ ପି କୋହଲି ନିଶ୍ଚୟ ଆସିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର